୧୧୫ ରାଷ୍ଟ୍ରରେ କରୋନା : ୟୁରୋପ, ଆମେରିକାରେ ସଙ୍କଟ ବଢ଼ୁଛି

ଇଟାଲି ଠପ୍‌, ୬ କୋଟି ଲୋକ ପ୍ରଭାବିତ, ମହାମାରୀ ଘୋଷଣା ପରେ ଲୋକେ ଆତଙ୍କିତ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଏବେ ୧୧୫ରୁ ଅଧିକ ରାଷ୍ଟ୍ରରେ ଏହାର କାୟା ବିସ୍ତାର କରିଛି। ବିଶ୍ବବ୍ୟାପୀ ୧୨୦,୫୭୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୪,୩୦୦ ଟପିଛି। ୟୁରୋପ୍‌ ଏବଂ ଆମେରିକାରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ଆଜି କରୋନା ଭାରଇସ ସଙ୍କଟକୁ ମହାମାରୀ ଭାବେ ଘୋଷଣା କରାଯିବା ପରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଆତଙ୍କ ଖେଳିଯାଇଛି। ଇଟାଲିରେ ୧୦,୦୦୦ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛି। ୬୩୧ ଜଣଙ୍କର ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ଇଟାଲିରେ ୧୬୮ ଜଣଙ୍କ ମୃତ୍ୟୁ ହୋଇଛି। ଫେବ୍ରୁଆରି ୨୧ ତାରିଖରେ ଇଟାଲିରେ ପ୍ରଥମ କରୋନା ଭାଇରସ୍‌ ମାମଲା ସ୍ପଷ୍ଟ ହେବା ଦିନଠାରୁ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ‌ଇଟାଲି ପ୍ରଥମ ରାଷ୍ଟ୍ରଭାବେ ସଂପୂର୍ଣ୍ଣ ବନ୍ଦ ଘୋଷଣା କରିଛି। ଦେଶର ୬ କୋଟି ଲୋକ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଆମେରିକାରେ ବି ୧୦୦୦ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। କରୋନା ଯୋଗୁଁ ଆମେରିକାରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। କେବଳ ୱାସିଂଟନ୍‌ରେ ୨୭୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ଏଠାରେ ୨୪ ଜଣଙ୍କର ମୃ୍ତ୍ୟୁ ହୋଇଛି। ଇରାନ୍‌ରେ କରୋନା ଯୋଗୁଁ ୩୫୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯,୦୦୦ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଛିନ୍ତି। ସେହିପରି ଦକ୍ଷିଣ କୋରିଆରେ ୬୧ ଜଣଙ୍କର କରୋନା ଭାଇରସ୍‌ରେ ମୃତ୍ୟୁ ‌ହୋଇଛି ଏବଂ ୭,୭୭୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ବ୍ରିଟେନ୍‌ରେ ୩୮୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ ୬ ଜଣଙ୍କର କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। ସବୁଠୁ ଚିନ୍ତାଜନକ ହେଉଛି ବ୍ରିଟେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଏନ୍‌. ଡୋରିଜ୍‌ ମଧ୍ୟ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେ ନିଜ ବାସଭବନରେ ଆଇସୋଲେସନ୍‌ରେ ଅଛନ୍ତି। ଗତ ଗୁରୁବାର ଦିନ ତାଙ୍କ ଶରୀରରେ ଭାଇରସ୍‌ ଲକ୍ଷଣ ଦେଖାଦେଇଥିଲା ଏବଂ ଏହି ଦିନ ହିଁ ସେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଦ୍ବାରା ହୋଇଥିବା ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।‌ ଫ୍ରାନ୍ସରେ ଚଳିତ ମାସରେ ସଂସ୍କୃତି ମନ୍ତ୍ରୀ ଫ୍ରାଙ୍କ୍‌ ରିଷ୍ଟର ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ। ଏବେ ସେ କ୍ବାରେଣ୍ଟିନ୍‌ରେ ଅଛନ୍ତି। ଇରାନ୍‌ରେ ପ୍ରାୟ ୨୪ ଜଣ ସାଂସଦ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଇରାନ୍‌ରେ ୨ ଜଣ ରାଜନେତାଙ୍କର କ‌ରୋନା ଯୋଗୁଁ ମୃତ୍ୟୁ ହୋଇଛି। ଇରାନ୍‌ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ପରାମର୍ଶଦାତା ମହମ୍ମଦ ମିରମହମ୍ମଦୀଙ୍କର ମଧ୍ୟ ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି।

ଆମେରିକାରେ ସିନେଟର ଟେଡ୍‌ କ୍ରୁଜ୍‌ଙ୍କ ସମେତ ସମୁଦାୟ ୫ ଜଣ ରିପବ୍ଲିକ୍‌ ସାଂସଦ କ୍ବାରେଣ୍ଟିନ୍‌ରେ ଅଛନ୍ତି। ସେମାନେ ଗତମାସରେ ହୋଇଥିବା ଏକ ରାଜନୈତିକ ସମ୍ମିଳନୀରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

ସମ୍ବନ୍ଧିତ ଖବର