କରୋନା ମାମଲା ୪୦% କମିଛି; ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି, ୧୭୪୮ ସଂକ୍ରମଣ ମୁକ୍ତ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁଁ କରୋନା ମୁକାବିଲାରେ ବଡ଼ ସଫଳତା ମିଳିଛି। ପୂର୍ବ ସ୍ଥିତି ତୁଳନାରେ କରୋନା ମାମଲା ୪୦ ପ୍ରତିଶତ କମିଛି। ପୂର୍ବରୁ ମାମଲା ଦୁଇଗୁଣ ହେବାପାଇଁ ୩ ଦିନ ଲାଗୁଥିବା ବେଳେ ଏବେ ଏହା ୬.୨ ଦିନରେ ଦୁଇଗୁଣ ହେଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୧୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ସ୍ବାଭାବିକ ଭାବେ ଦୁଇଗୁଣ ହେବା ପ୍ରକ୍ରିୟାଠାରୁ ଯଥେଷ୍ଟ କମ୍‌ ରହିଛି। ଏହି ରାଜ୍ୟଗୁଡ଼ିକ ହେଲା କେରଳ, ଉତ୍ତରାଖଣ୍ଡ, ହରିୟାଣା, ହିମାଚଳ ପ୍ରଦେଶ, ଲଦାଖ୍‌, ଚଣ୍ଡିଗଡ଼, ପୁଡ଼ୁଚେରୀ, ଦିଲ୍ଲୀ, ବିହାର, ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଂଜାବ, ଆସାମ ଏବଂ ତ୍ରିପୁରା। ରାଜ୍ୟମାନଙ୍କୁ ଏବେ ୫ ଲକ୍ଷ ରାପିଡ୍‌ ଟେଷ୍ଟିଂ କିଟ୍‌ ପ୍ରଦାନ କରାଯାଉଛି ଏବଂ ଏହା ମାତ୍ର ୩୦ ମିନିଟ୍‌ରେ ପରିଣାମ ଦେଉଛି। ଭାରତର ସ୍ଥିତି ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଯଥେଷ୍ଟ ଭଲ ଅଛି ଏବଂ ଭାରତ ଆଣ୍ଟି ଭାଇରାଲ ଔଷଧ ପ୍ରସ୍ତୁତି ଦିଗରେ ଜୋର୍‌ଦାର ପ୍ରୟାସ ଚଳାଇଛି।

କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛନ୍ତି ଏବଂ ଗତ ୪ ଦିନ ମଧ୍ୟରେ ସୁସ୍ଥ ହେଉଥିବା ଲୋକଙ୍କ ହାର ବଢ଼ିଛି। ଶୁକ୍ରବାର ଦିନ ଆରୋଗ୍ୟ ହାର ୧୩.୬ ପ୍ରତିଶତରେ ପହଞ୍ଚିଛି। ଗୁରୁବାର ଦିନ ଏହା ୧୨.୨ ପ୍ରତିଶତ ଥିବା ବେଳେ ବୁଧବାର ୧୧.୪୧ ପ୍ରତିଶତ ଥିଲା। ମଂଗଳବାର ଦିନ ଆରୋଗ୍ୟ ହାର ୯.୯୯ ପ୍ରତିଶତ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ୨୬୦ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିବା ଖବର ବଡ଼ ଆଶ୍ବସ୍ତିର କାରଣ ହୋଇଛି। ଗୁରୁବାର ଦିନ ୧୮୩ ଜଣ ସୁସ୍ଥ ହୋଇ ଫେରିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ୧୭୪୮ ଜଣ ସଂକ୍ରମିତ କରୋନା ମୁକ୍ତ ହୋଇଛନ୍ତି ଏବଂ ଆଗକୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।

ଉତ୍ତର ପ୍ରଦେଶରେ ୭୪ ଜଣ ସୁସ୍ଥ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୫୩ ଜଣ, ତାମିଲନାଡ଼ୁରେ ୧୮୦ ଜଣ ସୁସ୍ଥ ହୋଇଛନ୍ତି। କେରଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି। ଦେଶରେ ଏବେ ୧୯୧୯ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ରହିଥିବା ବେଳେ ଏଥିରେ ୧.୭୩ ଲକ୍ଷ ଆଇସୋଲେସନ ବେଡ୍‌ ରହିଛି। ଭାରତରେ ୨୧୮୦୦ ଆଇସିୟୁ ବେଡ୍‌ ପ୍ରସ୍ତୁତ ରହିଥିବା ସ୍ବାସ୍ଥ୍ୟମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଦେଶରେ ଆଜି ସୁଦ୍ଧା ୩.୧୯,୪୦୦ କୋଭିଡ-୧୯ ପରୀକ୍ଷା ହୋଇଛି।

ସମ୍ବନ୍ଧିତ ଖବର