କେରଳରେ କରୋନା ଭାଇରସ୍‌ ପାଇଁ କଡ଼ା କଟକଣା ଲାଗୁ ହେଲା

ଥିରୁବନନ୍ତପୁରମ୍‌ : କେରଳରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୨୫୯ ଜଣଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। କେରଳରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସରକାର କେତେକ କଟକଣା ଜାରି କରିଛନ୍ତି। ଅନେକ ସଂଖ୍ୟାରେ ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ହେବା ଉପରେ କଡ଼ା କଟକଣା ଜାରି ହୋଇଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସ୍କୁଲ୍‌ ବନ୍ଦ ରହିଛି। କେରଳରେ ଏକ ୩ ବର୍ଷର ଶିଶୁ ଭାଇରସ୍‌ ଆକ୍ରାନ୍ତ ହେବା ସବୁଠୁ ବେଶୀ ଚିନ୍ତାଜନକ ହୋଇଛି। ଉକ୍ତ ଶିଶୁର ବାପା ମା’ ବି ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ କୋଚିର ଏକ ହସ୍ପିଟାଲ୍‌ର ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି। ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ କେରଳରେ ଭାଇରସ୍‌ ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ପ୍ରାୟ ୧୫୦୦ ଲୋକ ନିରୀକ୍ଷଣ ବ୍ୟବସ୍ଥାରେ ଅଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ପ୍ରାୟ ୨୫୯ ଜଣ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା କହିଛନ୍ତି, କରୋନାର ସଫଳ ମୁକାବିଲା ପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ। କେରଳରେ ଚଳିତ ବର୍ଷ ଜାନୁଆରିରେ ୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ଇଟାଲିରୁ ଫେରିଥିବା ପଆୟ ୪୨ ଜଣ ନାଗରିକଙ୍କୁ କୋଚିରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର