ପ୍ରଧାନମନ୍ତ୍ରୀ ମୋଦୀ ସହାୟତାର ହାତ ବଢ଼ାଇବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ: ଚୀନର ପରିସ୍ଥିତିକୁ ଆଖି ଆଗରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ  ଚିଠି ଲେଖି ସବୁ ପ୍ରକାରର ସାହାଯ୍ୟ କରିବା ପାଇଁ ଭାରତ ପ୍ରସ୍ତୁତ ଥିବା କହିଥିଲେ। ରା‌ଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଆଶ୍ବାସନା ଦେବା ସହ ଭାରତ ଏଭଳି ପରିସ୍ଥିତିରେ ତାଙ୍କ ସହ ରହିଛି ଏବଂ କରୋନା ଭାଇରସ୍‌ ସହ ଚୀନର ଲଢ଼େଇରେ ଭାରତ ସାଥ୍ ଦେବ ବୋଲି ମୋଦୀ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ । ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିଠି ପାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌।

ଚୀନର ବୈଦେଶିକ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିିଠିର ଜବାବ ରଖି, ଏହା ଭାରତ-ଚୀନ୍ ମଧ୍ୟର ଥିବା ଗଭୀର ବନ୍ଧୁତାର ପ୍ରତୀକ ବୋଲି କହିଛି। ଚୀନର ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି କି, କରୋନା ଭାଇରସକୁ ନେଇ ଭାରତ ଯେଉଁଭଳି ଭାବରେ ସହାୟତା କରିବା ନେଇ ପ୍ରତିଶ୍ରୁତି ଦେଇଛି, ସେ ନେଇ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ଏଭଳି ପରିସ୍ଥିତିରେ ଭାରତ ଚୀନକୁ ସାହାଯ୍ୟର ହାତ ବଢ଼ାଇବା ଦୁଇ ଦେଶ ମଧ୍ୟରେ କେତେ ଗଭୀର ବନ୍ଧୁତା ରହିଛି ତାହା ଦର୍ଶାଉଛି। ଆମେ ଭାରତ ଓ ଅନ୍ୟ ଦେଶମାନଙ୍କ ସହ ମିଶି ଏହି ଭାଇରସ୍ ସହ ଲଢ଼େଇ କରିବୁ।

ତେବେ କେବଳ ଭାରତ ନୁହେଁ, ନେପାଳ ମଧ୍ୟ ଚୀନକୁ ନିଜର ସହାୟତାର ହାତ ବଢ଼ାଇଥିଲା। ନେପାଳ ଚୀନକୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ଦରକାର ହେଉଥିବା ଏକ ଲକ୍ଷ ସର୍ଜିକାଲ ମାସ୍କ ପଠାଇଥିଲା।

ସମ୍ବନ୍ଧିତ ଖବର