ବିଶ୍ୱରେ କରୋନାଭାଇରସ୍ ଆକ୍ରାନ୍ତସଂଖ୍ୟା ୧୧ଲକ୍ଷ ଟପିଲା; ମୃତ୍ୟୁସଂଖ୍ୟା ପ୍ରାୟ ୫୯ ହଜାର

ନୂଆଦିଲ୍ଲୀ: ଜନସ୍ ହପକିନସ୍ ବିଶ୍ୱବିଦ୍ୟାଳୟ ତଥ୍ୟ ଅନୁସାରେ, ଶନିବାର ମଧ୍ୟାହ୍ନ ସୁଦ୍ଧା ସମଗ୍ର ବିଶ୍ୱରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୫୯ହଜାର ହେବାକୁ ଯାଉଛି । ମହାମାରୀ ବିପକ୍ଷରେ ସମଗ୍ର ବିଶ୍ୱ ସଂଗ୍ରାମ ଚଳାଇଥିଲେ ସୁଦ୍ଧା ଗତ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ “କୋଭିଡ୍-୧୯’ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ବୃଦ୍ଧି ପାଇଛି ।

କରୋନାଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବାକୁ ବିଶ୍ୱର ଅଧିକାଂଶ ଦେଶ ଲକଡାଉନ ଜାରି କରିଛନ୍ତି ।

Image Source: DNA India

ସମ୍ପ୍ରତି ୨, ୭୭, ୯୬୫ ସଂକ୍ରମିତ ବ୍ୟକ୍ତି ଥିବା ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ଏକ ନମ୍ବର କରୋନାଭାଇରସ୍ ଅଧ୍ୟୁଷିତ ଦେଶ ପାଲଟି ଯାଇଛି । ସେଠାରେ ମୃତ୍ୟୁସଂଖ୍ୟା ୭, ୧୫୯ ହୋଇଥିବା ଜଣାପଡ଼ିଛି । ଇଉରୋପ୍ ମହାଦେଶରେ ଉଭୟ ଇଟାଲି ଓ ସ୍ପେନରେ ଯଥାକ୍ରମେ ସଂକ୍ରମିତଙ୍କ ସଂଖ୍ୟା୧, ୧୯, ୮୨୭ ଏବଂ ୧, ୧୯, ୧୧୯ରେ ପହଞ୍ଚିଛି ।

ଇଟାଲିରେ ମୃତୁ୍ୟସଂଖ୍ୟା ୧୪, ୬୮୧ ଥିବା ବେଳେ ସ୍ପେନରେ ମୃତ୍ୟୁସଂଖ୍ୟା ୧୧, ୧୯୮ରେ ପହଞ୍ଚିଛି । ସଂକ୍ରମଣ ରୋକିବାକୁ ଉଭୟ ଦେଶ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି ।
କରୋନାଭାଇରସର ଉତ୍ପତ୍ତିସ୍ଥଳ ଚୀନ୍ ଅପେକ୍ଷା ଫ୍ରାନସ୍, ଇଂଲଣ୍ଡ୍ ଏବଂ ଇରାନରେ ମୃତ୍ୟୁସଂଖ୍ୟା ଅଧିକ ହୋଇଥିବା କଥା ବିଶ୍ୱର ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସମ୍ବନ୍ଧିତ ଖବର