କରୋନା ଦୀର୍ଘ ଦିନ ଧରି ରହିବ: ଡବ୍ଲ୍ୟୁଏଚ୍‌ଓ

ଅଧିକାଂଶ ଦେଶ ମହାମାରୀର ପ୍ରଥମ ପର୍ଯ୍ୟାୟରେ

ବେଂଜି : ବିଶ୍ବବ୍ୟାପୀ କରୋନା ଭାଇରସ୍‌ ଆକ୍ରାନ୍ତ ଏବଂ ମୃତ୍ୟୁସଂଖ୍ୟା ପ୍ରତିଦିନ ବଢ଼ୁଛି। ଏଭଳି ଜଟିଳ ସ୍ଥିତିରେ ଆଜି ଡବ୍ଲ୍ୟୁଏଚ୍‌ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ପୁଣି ଏ ବାବଦରେ ସମସ୍ତଙ୍କୁ ସତର୍କ କରାଇ ଦେଇଛି। କରୋନା ଭାଇରସ୍‌ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ଆମ ସହିତ ଅନେକ ଦିନ ଧରି ରହିବ ବୋଲି ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରସ୍‌ ଆଦନମ୍‌ କହିଛନ୍ତି। କରୋନା ଖୁବ୍‌ଶୀଘ୍ର ଚାଲିଯିବ ବୋଲି ଧରିନେଇ ଆଦୌ ଭୁଲ୍‌ କରିବା ଉଚିତ ନୁହେଁ। କରୋନା ମୁକାବିଲା କ୍ଷେତ୍ରରେ ଆମକୁ ଆହୁରି ବହୁତ ଦୂର ଯିବାପାଇଁ ଅଛି। କରୋନା ବିରୋଧରେ ଏକ ଦୀର୍ଘ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ଟେଡ୍ରସ୍‌ କହିଛନ୍ତି।

ସେ କହିଛନ୍ତି ଯେ ଏବେ ଅଧିକାଂଶ ଦେଶ କରୋନା ବୈଶ୍ବିକ ମହାମାରୀର ପ୍ରଥମ ପର୍ଯ୍ୟାୟରେ ରହିଛନ୍ତି। ଯେଉଁ ଦେଶରେ ମହାମାରୀ ଆରମ୍ଭ ହୋଇଥିଲା ‌ଏବେ ସେଠାରେ ପୁଣି ଥରେ ନୂଆ ମାମଲା ବଢ଼ୁଛି। ଘରେ ରହିବା ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଦ୍ବାରା ଭାଇରସ୍‌ ବ୍ୟାପିବାକୁ ଅନେକ ପରିମାଣରେ କମାଇ ଦେଇ ହେଉଛି, ସେଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଏହି ଜୀବାଣୁ ଅତ୍ୟନ୍ତ ବିପଜ୍ଜନକ ଅଟେ। ବିଶ୍ବର ଅଧିକାଂଶ ଲୋକ ସଂକ୍ରମିତ ହୋଇ ରହିଛନ୍ତି ଏବଂ ଏହା ସହଜରେ ଭୟଙ୍କର ରୂପ ନେଇପାରେ ବୋଲି ସେ କହିଛନ୍ତି। ଏ ମହାମାରୀ ଆରମ୍ଭରୁ ଆମେ ଯେଉଁ ସମାନ୍ତରାଳ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିଆସୁଛୁ ତାହ‌ା ନିଶ୍ଚିତ ଭାବେ ସମସ୍ତ ଦେଶରେ ମେରୁଦଣ୍ଡ ହୋଇ ରହିବ। ପ୍ରତ୍ୟେକ ମାମଲାକୁ ଖୋଜିବା, ପ୍ରତ୍ୟେକ ମାମଲାକୁ ପୃଥକ କରିବା, ପ୍ରତ୍ୟେକ ମାମଲା ପରୀକ୍ଷା କରିବା, ପ୍ରତ୍ୟେକ ମାମଲାର ଯତ୍ନ ନେବା ଏବଂ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ବାରାଣ୍ଟିନ୍‌ କରିବା ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍ଓ ମୁଖ୍ୟ କହିଛନ୍ତି।

ଅନ୍ୟପକ୍ଷେ ଡବ୍ଲୁଏଚ୍‌ଓ ଭାଇରସ୍‌ ମୁକାବିଲା ଦିଗରେ ସଠିକ୍‌ ପଦକ୍ଷେପ ଗ୍ରହଣ କରିନାହିଁ ଏବଂ ଏହା ଅନେକ ତଥ୍ୟ ଲୁଚାଉଛି ବୋଲି ଆମେରିକା ଅଭି‌ଯୋଗ କରିଥିବାରୁ ଡବ୍ଲ୍ୟୁଏଚ୍ଓ ଏହି ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରିଛି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ କହିଛନ୍ତି ସଠିକ୍‌ ସମୟରେ ଏମର୍ଜେନ୍ସି ଘୋଷଣା ହୋଇଛି। ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୌଣସି ବିଳମ୍ବ ହୋଇନାହିଁ। ଆମ ବିରୋଧରେ ହେଉଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର