ବ୍ୟାପକ ‘ବିସିଜି’ ଟିକାକରଣ ହୋଇଥିବା ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁହାର କମ୍: ଅଧ୍ୟୟନ

ନୂଆଦିଲ୍ଲୀ: ଯେଉଁ ଦେଶମାନଙ୍କରେ ବ୍ୟାପକ ଭାବେ “ବିସିଜି’ ଟିକାକରଣ ହୋଇଛି ସେଠାରେ ଏହି ଟିକା ବ୍ୟବହାର ହୋଇ ନ ଥିବା ଦେଶମାନଙ୍କ ଠାରୁ କରୋନାଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ପ୍ରାୟ ୬ଗୁଣ କମ୍ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।

୧୦୦ ବର୍ଷ ତଳେ ଉଦ୍ଭାବିତ “ବିସିଜି’ ଟିକା “ଟିବି’ ରୋଗର ପ୍ରତିଷେଧକ ଭାବେ ବ୍ୟବହାର ହୋଇଥାଏ । କିନ୍ତୁ, ଏହାର ଅନ୍ୟାନ୍ୟ ସୁଫଳ ମଧ୍ୟ ରହିଛି । ଅନ୍ୟ କେଉଁ ସବୁ ସଂକ୍ରମଣରୁ ଏହା ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଦେଇଥାଏ, ତାହା ସ୍ପଷ୍ଟ ଭାବେ ଜଣାନାହିଁ । ମାତ୍ର, ଏ ଟିକା ନେଇଥିବା ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଉନ୍ନତ ହୋଇଥାଏ ଏବଂ ସେମାନେ ରୋଗ ସଂକ୍ରମଣରୁ ସୁରକ୍ଷିତ ରହିଥାଆନ୍ତି । ମନେକରନ୍ତୁ, ପିଲାଦିନେ ନେଇଥିବା ବିସିଜି ଟିକା ୬୦ ବର୍ଷ ବୟସଯାଏଁ “ଟିବି’ରୁ ସୁରକ୍ଷା ଦେଇଥାଏ । “ଟିବି’ ଛଡ଼ା ଅନ୍ୟାନ୍ୟ ଶ୍ୱାସପ୍ରଶ୍ୱାସ ରୋଗ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରୁଥିବା ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଅନୁମୋଦନ କରିଛି ।

Image Source: Nepali Post

କରୋନାଭାଇରସ୍ ସଂକ୍ରମଣ ବିରୋଧରେ କିପରି କାର୍ଯ୍ୟ କରୁଛି ଜାଣିବାକୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଠାରେ ବୈଜ୍ଞାନିକମାନେ ହଜାର ହଜାର ଡାକ୍ତର, ନର୍ସ, ଶ୍ବାସପ୍ରଶ୍ବାସ ରୋଗର ଚିକିତ୍ସକ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ “ବିସିଜି’ ଟିକା ଦେଇଛନ୍ତି ।

“ବି.ସି.ଜି.’ ଟିକାର ଇତିହାସ ମଧ୍ୟ ବିଚିତ୍ର । ଗୋପାଳୁଣୀମାନେ “ଟିବି’ରୋଗରେ ପୀଡ଼ିତା ହେଉ ନ ଥିବା କଥା ଅଷ୍ଟାଦଶ ଶତାବ୍ଦୀରେ ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା । ଏହି ଅନୁଧ୍ୟାନକୁ ଭିତ୍ତି କରି ଡାକ୍ତର ଆଲର୍ବଟ୍ କାଲମେଟ୍ ଏବଂ ଡାକ୍ତର କ୍ୟାମିଲି ଗୁଏରିନ୍ ଊନବିଂଶ ଶତାବ୍ଦୀରେ ଏହି ଟିକା ଉଦ୍ଭାବନ କରିଥିଲେ । ଗୋରୁଙ୍କୁ “ଟିବି’ରେ ଆକ୍ରାନ୍ତ କରାଉଥିବା “ମାଇକୋବ୍ୟାକ୍ଟେରିୟମ୍ ବୋବାଇସ୍’ରୁ ଏହି ଟିକା ତିଆରି କରିଥିବା ଦୁଇ ଡାକ୍ତରଙ୍କ ନାମାନୁସାରେ ଏହାର ନାମକରଣ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ କି, ଭାରତରେ ଶିଶୁମାନଙ୍କ ଲାଗି ଥିବା ବିଭିନ୍ନ ଟିକା ମଧ୍ୟରେ “ବିସିଜି’ ଟିକା ରହିଛି ଏବଂ ସମସ୍ତ ଶିଶୁ ଏହି ଟିକା ନେଇଥାଆନ୍ତି ।

ସମ୍ବନ୍ଧିତ ଖବର