କରୋନା ଆତଙ୍କ : ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ୟୁରୋପ, ମୃତ୍ୟୁସଂଖ୍ୟା ୨୭୧୮

ନୂଆଦିଲ୍ଲୀ : କ‌ରୋନା ଭାଇରସ୍‌ ଯୋଗୁଁ ବିଶ୍ବବ୍ୟାପୀ ୮୦,୦୦୦ ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ କେବଳ ଚୀନ୍‌ରେ ୨୭୧୮ ଜଣ ପ୍ରାଣ ହରାଇଲେଣି। ଚୀନ୍‌ରେ ପୁଣି ୪୧୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଚୀନ୍‌ ଜାତୀୟ ସ୍ବାସ୍ଥ୍ୟ କମିସନ୍‌ ପକ୍ଷରୁ କୁହାଯାଇଛି। ଦକ୍ଷିଣ କୋରିଆ‌, ଇରାନ୍‌ ଏବଂ ଇଟାଲିରେ କରୋନା ଏବେ ଭୟ ବଢ଼ାଇଛି। ଅନ୍ୟପକ୍ଷରେ କରୋନା ମହାମାରୀ ରୂପ ନେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇବା ପରେ ଏହାର ମୁକାବିଲା ପାଇଁ ୟୁରୋପ ଏବେ ପ୍ରସ୍ତୁତ ହେଉଛି। ଦକ୍ଷିଣ କୋରିଆରେ ୧୨୬୦ ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ଇରାନ୍‌ରେ କରୋନା ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଗତକାଲି ଇରାନ୍‌ରେ ପୁଣି ୧୩୯ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ୟୁରୋପ୍‌ରେ ସବୁଠୁ ଅଧିକ ଭାଇରସ୍‌ ବ୍ୟାପିଛି ଇଟାଲିରେ। ଇଟାଲିରେ ସମୁଦାୟ ୩୨୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରିସ୍‌ ଏବଂ ଇଜିପ୍ଟରେ ବି ଭାଇରସ୍‌ ପହଞ୍ଚିଲାଣି। ସେପଟେ ଫ୍ରାନ୍ସରେ କରୋନା ଭାଇରସ୍‌ ଯୋଗୁଁ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି ଯେ ମହାମାାରୀ ସହ ମୁକାବିଲା ପାଇଁ ବିଶ୍ବ ଏବେ ପ୍ରସ୍ତୁତ ନାହିଁ। ଗ୍ରିସ୍‌ରେ କରୋନା ଭାଇରସ୍‌ ଚିହ୍ନଟ ହେବାପରେ କିଛି ସ୍ଥାନରେ କଟକଣା ଲଗାଯାଇଛି। ଗ୍ରୀସ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୧୩ଟି ହସ୍ପିଟାଲ୍‌କୁ ଭାଇରସ୍‌ ରୋକିବା ଦିଗରେ ଲଗାଯାଇଛି। ଇରାନ୍‌ରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆମେରିକା ଇରାନ୍‌ ସହ ଏହାର ସମସ୍ତ ସୀମାକୁ ବନ୍ଦ ରଖିଛି।

ସମ୍ବନ୍ଧିତ ଖବର