ନୂଆଦିଲ୍ଲୀ : କରୋନା ବିଶ୍ବ ମହାମାରୀ ମୁକାବିଲା ପାଇଁ ଭାରତ ଏହାର ସମସ୍ତ ବଳ ଖଟାଇ ଦେଇଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛି। କଡ଼ା ପଦକ୍ଷେପ ସତ୍ତ୍ବେ ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଲା। କରୋନା ଯୁଦ୍ଧରେ ଜିତିବାପାଇଁ ଦେଶ ଏବେ ନୂଆ ନୂଆ କୌଶଳ ଆପଣାଉଛି। ଭାରତରେ କରୋନା ଚିକିତ୍ସାକୁ ଅଧିକ ସୁଦୃଢ଼ କରିବାପାଇଁ ସରକାର ଭାରତରେ ହସ୍ପିଟାଲ୍ ଗୁଡ଼ିକୁ ୩ ଭାଗରେ ବିଭକ୍ତ କରିଛନ୍ତି। ପ୍ରଥମଟି ହେଉଛି କୋଭିଡ୍ କେୟାର ସେଣ୍ଟର। ଏଠାରେ ଅତି ସାଧାରଣ ଏବଂ ସନ୍ଦିଗ୍ଧ ମାନଙ୍କୁ ଚିକିତ୍ସା କରାଯିବ। ଦ୍ବିତୀୟଟି ହେଉଛି କୋଭିଡ୍ ହେଲ୍ଥ ସେଣ୍ଟର। ଏଠାରେ ମଧ୍ୟମ ଧରଣର ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି ଏବଂ ତୃତୀୟଟି ହେଉଛି ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ୍। ଅତି ଗୁରୁତର ରୋଗୀଙ୍କୁ ଏହି ହସ୍ପିଟାଲରେ ଚିକିତ୍ସା କରାଯାଉଛି।
କୌଣସି ହଷ୍ଟେଲ୍, ସ୍କୁଲ୍ ଏବଂ ଅନ୍ୟ କୌଣସି ରିସୋର୍ଟକୁ କୋଭିଡ୍ କେୟାର ସେଣ୍ଟରରେ ପରିଣତ କରାଯାଇପାରିବ। ହସ୍ପିଟାଲ୍ କିମ୍ବା ହସ୍ପିଟାଲ୍ର ଏକ ସ୍ବତନ୍ତ୍ର ବ୍ଲକ୍ରେ ତାଲିମପ୍ରାପ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଥାଇ ଏହାକୁ କୋଭିଡ୍ ହେଲ୍ଥ ସେଣ୍ଟରରେ ପରିଣତ କରାଯିବ। ସଂକ୍ରମଣ ରୋକିବାପାଇଁ ଏହି ହସ୍ପିଟାଲ୍କୁ ସ୍ବତନ୍ତ୍ର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାର ରହିବ। ଏଠାରେ ଅକ୍ସିଜେନ୍ ସପୋର୍ଟ ସହ ଆବଶ୍ୟକୀୟ ବେଡ୍ ରହିଥିବ। ଅନ୍ୟପକ୍ଷେ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ୍ରେ କେବଳ ଗୁରୁତର ରୋଗୀମାନେ ଚିକିତ୍ସିତ ହେବେ। ସମ୍ପୂର୍ଣ୍ଣ ଭାବେ ଏକ ହସ୍ପିଟାଲ୍କୁ ହିଁ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ୍ରେ ପରିଣତ କରାଯିବ। ଏଠାରେ ଆଇସିୟୁ, ଭେଣ୍ଟିଲେଟର, ବେଡ୍ ଏବଂ ଅକ୍ସିଜେନ୍ ସପୋର୍ଟ ରହିବ। ଏହି ହସ୍ପିଟାଲ୍ରେ ସନ୍ଦିଗ୍ଧ ଏବଂ କରୋନା ରୋଗୀଙ୍କୁ ପୃଥକ୍ ଭାବେ ରଖି ଚିକିତ୍ସା କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ବିଭିନ୍ନ ରାଜ୍ୟରେ ଥିବା ଭିନ୍ନ ଭିନ୍ନ ହସ୍ପିଟାଲ୍ ଗୁଡ଼ିକରେ ଚିକିତ୍ସା ଜାରି ରହିଛି। ୭୦ ପ୍ରତିଶତ ରୋଗୀଙ୍କର ସାଧାରଣ ଲକ୍ଷଣ ଦେଖା ଦେଉଥିବାରୁ କୋଭିଡ୍ କେୟାର ସେଣ୍ଟର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।