ଶ୍ରୀନଗର: ସଂପ୍ରତି ଦେଶରେ କରୋନା ବା କୋଭିଡ୍-୧୯ ସଂକ୍ରମଣ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ଏପରିସ୍ଥିତିରେ ଜମ୍ମୁ- କଶ୍ମୀର ପ୍ରଶାସନ ଏକ ଘୋଡ଼ାକୁ କରୋନା ପ୍ରଟୋକଲ ମୁତାବକ ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ପଠାଇ ଦେଇଥିବା ଜାଣିବାକୁ ମିଳିଛି। ସଂପୃକ୍ତ ଘୋଡାଟି ରେଡ-ଜୋନ୍ ଅଞ୍ଚଳରୁ ଯାତ୍ରା କର ଆସିଥିବା ଦୃଷ୍ଟିରୁ କାଳେ ସେ ମଧ୍ୟ କୋଭିଡ-୧୯ ର ସମ୍ଭାବ୍ୟ ବାହକ ଥିବ, ସେଇ ଆଶଙ୍କାରେ ଅଧିକାରୀମାନେ ଘୋଡ଼ାଟିକୁ ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ପଠାଇଛନ୍ତି। ତେବେ, କୌଣସି ଘୋଡ଼ାକୁ କ୍ୱାରେଣ୍ଟାଇନ୍ରେ ପଠାଟିବା ନେଇ ଏହା ସମଗ୍ର ଦେଶରେ ପ୍ରଥମ ଘଟଣା ଥିବା ଜାଣିବାକୁ ମିଳିଛି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମଙ୍ଗଳବାର ସନ୍ଧ୍ୟାରେ କାଶ୍ମୀରର ରାଜୌରୀ ଜିଲ୍ଲାକୁ ଫେରୁଥିବା ଜଣେ ବ୍ୟକ୍ତିଙ୍କୁ ସ୍କ୍ରିନିଂ ପାଇଁ ମୋଗଲ ରାସ୍ତାରେ ଅଟକାଯିବା ସହ ତାଙ୍କୁ ୧୪ ଦିନ ପ୍ରଶାସନିକ କ୍ୱାରେଣ୍ଟାଇନକୁ ପଠାଯାଇଥିଲା। ଏହି ବ୍ୟକ୍ତି ଜଣଙ୍କର ସ୍ୱାବ ନମୁନାକୁ ଏବେ କୋଭିଡ -୧୯ ପରୀକ୍ଷା ପାଇଁ ପଠାଯାଇଛି। ଏବଂ ତାଙ୍କର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ, ସଂପୃକ୍ତ ବ୍ୟକ୍ତି ଜଣକ ରେଡ୍ ଜୋନ୍ର ହଟ୍ସ୍ପଷ୍ଟ ଅଞ୍ଚଳରୁ ଗେଶନା ଚଢ଼ି ଆସିଥିବାରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଅନୁସରଣ କରାଯାଇ ଏପରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜଣେ ପ୍ରଶାସନିକ ଅଧିକାରୀ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଆଠଗଡ଼ ଅଞ୍ଚଳରେ ଥିବା ଏକ ସଂଗରୋଧ କେନ୍ଦ୍ରରୁ ସୋମବାର ରାତିରେ ଉଦ୍ଧାର ହୋଇଥିବା ମାଈ ବଜ୍ରକାପ୍ତାର କରୋନା ନମୁନାକୁ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଆଠଗଡ଼ ବନ ବିଭାଗ ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ମହୁଲିଆସ୍ଥିତ ୟୁଜିଏମଇ ସ୍କୁଲ ପରିସରର ସଂଗରୋଧ କେନ୍ଦ୍ରରୁ ଏହି ବଜ୍ରକାପ୍ତାକୁ ସୋମବାର ରାତି ଉଦ୍ଧାର କରାଯାଇ ଥିଲା। ବଜ୍ରକାପ୍ତାକୁ ଯେହେତୁ ସଂଗରୋଧ କେନ୍ଦ୍ରରୁ ଉଦ୍ଧାର କରାଯାଇଛି, ସେଥି ପାଇଁ ଏହାର ସ୍ୱାବ ନମୁନା ପରୀକ୍ଷା ହେବ ବୋଲି ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ସୂଚନା ଦେଇଥିଲେ ।