ନୂଆଦିଲ୍ଲୀ : ସାରା ବିଶ୍ବ ଏବେ କରୋନା ଭାଇରସ୍ ବିଶ୍ବ ମହାମାରୀ ସହ ମୁକାବିଲା କରୁଥିବାବେଳେ ବିଶେଷଜ୍ଞମାନେ ଏବେ ୨ଟି ବାଦୁଡ଼ି ପ୍ରଜାତିରେ ଏକ ଭିନ୍ନ ପ୍ରକାରର କରୋନା ଭାଇରସ୍ (ବିଟିସିଓଭି ) ଉପସ୍ଥିତି ସଂପର୍କରେ ଜାଣିଛନ୍ତି। ଅନ୍ୟପକ୍ଷରେ ମିଆଁମ୍ୟାର୍ରେ ୩ଟି ପ୍ରଜାତିର ବାଦୁଡ଼ିରୁ ୬ ପ୍ରକାରର ନୂଆ କରୋନା ଭାଇରସ୍ ମିଳିଛି। ଏହାର ଜେନେଟିକାଲ ମଡେଲ କୋଭିଡ-୧୯ ଶ୍ରେଣୀର ଭାଇରସ୍ଠାରୁ ଭିନ୍ନ ବୋଲି ଜଣାପଡ଼ିଛି। ଆଇସିଏମ୍ଆର (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ)ର ଏକ ଅଧ୍ୟୟନ ଅନୁଯାୟୀ ଭାରତରେ ୨ଟି ବାଦୁଡ଼ି ପ୍ରଜାତିରେ ଭିନ୍ନ ପ୍ରକାରର କରୋନା ଭାଇରସ୍ ଥିବା ଜଣାପଡ଼ିଛି। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି, ଏହି ବାଦୁଡ଼ି କରୋନା ଭାଇରସ୍ ଦ୍ବାରା ଯେ ମଣିଷ ଶରୀରରେ ରୋଗ ସୃଷ୍ଟି ହେଉଛି ତାହା ଦାବି କରିବାପାଇଁ କୌଣସି ଗବେଷଣା ନାହିଁ କି ପ୍ରମାଣ ନାହିଁ। ଆଇସିଏମ୍ଆର ଅଧ୍ୟୟନ ଅନୁଯାୟୀ କେରଳ, ହିମାଚଳପ୍ରଦେଶ, ପୁଡ଼ୁଚେରୀ ଏବଂ ତାମିଲନାଡ଼ୁରେ ୨ଟି ବାଦୁଡ଼ି ପ୍ରଜାତିରେ କରୋନାଭାଇରସ୍ ପାଇଛନ୍ତି। ତେବେ ପୁନେର ଏନ୍ଆଇଭି (ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି)ର ବୈଜ୍ଞାନିକ ଡ. ପ୍ରଜ୍ଞା ଡି ଯାଦବ କହିଛନ୍ତି, ଏହି ବାଦୁଡ଼ି କରୋନା ଭାଇରସ୍ ଯେ, ମଣିଷ ଶରୀରରେ ରୋଗ ସୃଷ୍ଟି କରୁଛି ସେନେଇ କୌଣସି ଗବେଷଣା ହୋଇନି କି ପ୍ରମାଣ ମଧ୍ୟ ନାହିଁ।
ଆଇସିଏମ୍ଆର ଦ୍ବାରା ହୋଇଥିବା ଏହି ଅଧ୍ୟୟନ ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ ରିସର୍ଚ୍ଚ୍ରେ ପ୍ରକାଶ ପାଇଛି। କେରଳ, ହିମାଚଳପ୍ରଦେଶ ଏବଂ ପୁଡ଼ୁଚେରୀର ରୁସେଟସ୍ ଏବଂ ପରୋପ୍ସ ପ୍ରଜାତିର ୨୫ଟି ବାଦୁଡ଼ିଙ୍କ ଶରୀରର ଗଳା ଏବଂ ରେକ୍ଟାଲ୍ ସ୍ବାବ୍ ନମୁନା ପରୀକ୍ଷା କରାଯିବାପରେ ସେମାନଙ୍କ ଶରୀରରେ ବିଟିକଭ୍ ତଥା ବ୍ୟାଟ୍ କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି। ତେବେ ଏହି ବ୍ୟାଟ୍ କରୋନାଭାଇରସ୍ର ସାର୍ସ-କଭ୍-୨ ସହ କୌଣସି ସଂପର୍କ ନାହିଁ ବୋଲି ଡ. ଯାଦବ କହିଛନ୍ତି। ପୂର୍ବରୁ ୨୦୧୮ ଏବଂ ୨୦୧୯ରେ କେରଳର ଏହି ପରୋପ୍ସ ବାଦୁଡ଼ି ପ୍ରଜାତି ଶରୀରରେ ନିପା ଭାଇରସ୍ ପଜିଟିଭ୍ ଥିଲା ବୋଲି ସେ କହିଛନ୍ତି। ବାଦୁଡ଼ିକୁ ବିଭିନ୍ନ ଭାଇରସ୍ ପାଇଁ ପ୍ରାକୃତିକ ଭଣ୍ଡାର ଭାବେ ବିବେଚନା କରାଯାଏ। ଏଥି ମଧ୍ୟରୁ କିଛି ଭାଇରସ୍ ପାଇଁ ମଣିଷ ଶରୀରରେ ବି ରୋଗ ସୃଷ୍ଟି ହେବାର ସମ୍ଭାବନା ଥାଏ।
ଭାରତରେ ପୂର୍ବରୁ 'ପେରୋପସ୍ତି' ବାଦୁଡ଼ି ସହ ନିପା ଭାଇରସ୍ର ସଂଯୋଗ ଥିବା ଜଣାପଡ଼ିଥିଲା। ଯେଉଁ ଅଞ୍ଚଳରେ ବାଦୁଡ଼ିମାନଙ୍କଠାରୁ ଏହିପରି ଜୀବାଣୁ ଚିହ୍ନଟ କରାଯାଇଛି ସେହି ଅଞ୍ଚଳରେ କ୍ରସ୍-ସେକ୍ସନାଲ ଆଣ୍ଟିବଡି ସର୍ଭେ ଉଭୟ ମାନବ ଏବଂ ଘରୋଇ ପ୍ରାଣୀ ପାଇଁ ମଧ୍ୟ ସୁପାରିସ କରାଯାଇଛି।