ନୂଆଦିଲ୍ଲୀ: କରୋନା ଭାଇରସ୍ ବ୍ୟାପିବାରୁ ଚୀନ୍ରେ ଫସିଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ବ୍ୟାଚ୍ରେ ୩୨୪ ଜଣ ଆଜି ଆସି ଦିଲ୍ଲୀ ପହଞ୍ଚିଛନ୍ତି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି। ସେମାନଙ୍କ ମଧ୍ୟରେ ୨୧୧ ଜଣ ଛାତ୍ର ଏବଂ ୩ ଜଣ ନାବାଳକ ଅଛନ୍ତି। ୨୨୦ ଭାରତୀୟଙ୍କୁ ହରିୟାଣାର ମନେସରରେ ସେନା ଦ୍ବାରା ପରିଚାଳିତ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯାଇଥିବା ବେଳେ ଅନ୍ୟ ୧୦୪ ଜଣଙ୍କୁ ନୂଆଦିଲ୍ଲୀ ସ୍ଥିତ ଆଇଟିବିପିର ଚାୱଲା ଶିବିରକୁ ପଠାଯାଇଛି। ଭାରତ ପହଞ୍ଚିଥିବା ସମସ୍ତ ନାଗରିକଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭଲଭାବେ ସ୍କ୍ରିନିଂ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆନ୍ଧ୍ରପ୍ରଦେଶ ଏବଂ କେରଳର। ମହାରାଷ୍ଟ୍ରରୁ ୨୨ ଜଣ ମଧ୍ୟ ଦିଲ୍ଲୀ ପହଞ୍ଚିଛନ୍ତି। ଉଲ୍ଲେଖଯୋଗ୍ୟ ଚୀନ୍ରୁ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଏୟାର ଇଣ୍ଡିଆ ବିମାନ ଗତକାଲି ଅପରାହ୍ନରେ ଦିଲ୍ଲୀ ଛାଡ଼ିଥିଲା। ଶନିବାର ଭୋର ସମୟରେ ବିମାନଟି ଦିଲ୍ଲୀ ପହଞ୍ଚିଥିଲା। ଏୟାର ଇଣ୍ଡିଆର ଦ୍ବିତୀୟ ବିମାନ ଆଜି ଅପରାହ୍ନରେ ପୁଣି ଥରେ ଉହାନ ଯାଇଛି। ଏହା ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟଙ୍କୁ ଚୀନ୍ରୁ ଆଣିବ। ଏଥିରେ ଆରଏମଏଲ୍ ହସ୍ପିଟାଲ୍ର ୫ ଜଣ ଡାକ୍ତର ଯାଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୬ ଜଣ ଭାରତୀୟଙ୍କୁ ଚୀନ୍ ଆପ୍ରବାସ କର୍ତ୍ତୃପକ୍ଷଙ୍କ ଦ୍ବାରା ଭାରତ ଆସିବାକୁ ଅନୁମତି ମିଳିନାହିଁ। ସେମାନଙ୍କ ଶରୀରରେ ତାପମାତ୍ରା ଅଧିକ ଥିବାରୁ ଏବଂ ସେମାନେ ଅସୁସ୍ଥ ଥିବାରୁ ସେମାନଙ୍କୁ ଦିଲ୍ଲୀ ଆସିବାକୁ ଅନୁମତି ଦିଆଯାଇ ନଥିଲା। ଏହି ୬ ଜଣଙ୍କ ମଧ୍ୟରେ ୪ ଜଣ ଛାତ୍ର ଅଛନ୍ତି । ସେମାନଙ୍କୁ ଉହାନ୍ରେ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖି ଚିକିତ୍ସା କରାଯିବ। ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ଫେରାଯିବ। ବାଂଲାଦେଶରେ ମଧ୍ୟ ୩୦୦ରୁ ଅଧିକ ଲୋକ ଆଜି ସ୍ବତନ୍ତ୍ର ବିମାନ ଯୋଗେ ବାଂଲାଦେଶ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dt87dg87dg98j7dg89j7dg98j7dg98j7dg987j98dg7jdgjdgjdgjdgjdgjdgjdgj.jpg)