ଭାରତରେ କରୋନା : ଦିନକରେ ୮୩,୮୮୩ ସଂକ୍ରମିତ, ୫ ରାଜ୍ୟରେ ସ୍ଥିତି ସଂଗିନ

ବିଶ୍ବରେ ପଞ୍ଚମ କରୋନା ପ୍ରଭାବିତ ରାଷ୍ଟ୍ରକୁ ଟପିଲା ମହାରାଷ୍ଟ୍ର, ୮ ଲକ୍ଷରୁ ଅଧିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮୩ ହଜାର ୮୮୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧ହଜାର ୪୩ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୬ରେ ପହଞ୍ଚିଥିବାବେଳେ ୬୭ ହଜାର ୩୭୬ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି। ତେବେ ଜାତୀୟ ଆରୋଗ୍ୟ ହାର ୭୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁହାର ୧.୭୫ ପ୍ରତିଶତକୁ କମି ଆସିଛି। ଦେଶରେ ଏବେ ୮ ଲକ୍ଷ ୧୫ ହଜାର ୫୩୮ ସକ୍ରିୟ ମାମଲା ରହିଛି। ୫ଟି ରାଜ୍ୟରେ ସ୍ଥିତି ସଂଗିନ ରହିଛି। ତାମିଲନାଡ଼ୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଦେଶର ୬୨% ସକ୍ରିୟ ମାମଲା ରହିଛି। ସେହିପରି ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ମହାରାଷ୍ଟ୍ରରୁ ୭୦% ମୃତ୍ୟୁ ମାମଲା ଚିହ୍ନଟ ‌ହୋଇଛି। ତେବେ ରାଜଧାନୀ ଦିଲ୍ଲୀ ଏବେ ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ଗତ ୬୭ ଦିନ ମଧ୍ୟରେ ଆଜି ସର୍ବାଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୭୩୭ ଜଣ କରୋନାରେ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ଏବଂ ମୃତ୍ୟୁସଂଖ୍ୟା ୪୫୦୦ରେ ପହଞ୍ଚିଯାଇଛି। ଦିଲ୍ଲୀରେ କ୍ରମାଗତ ତୃତୀୟ ଦିନ ପାଇଁ ସଂକ୍ରମଣ ସଂଖ୍ୟା ୨ ହଜାରରୁ ଅଧିକ ରହିଛି।

ବିଶ୍ବରେ ପଞ୍ଚମ କରୋନା ପ୍ରଭାବିତ ରାଷ୍ଟ୍ରକୁ ଟପିଲା ମହାରାଷ୍ଟ୍ର, ୮ ଲକ୍ଷରୁ ଅଧିକ ସଂକ୍ରମଣ
ମୁମ୍ବାଇ : ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୭ ହଜାର ୪୩୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମଣ ୮ ଲକ୍ଷ ୨୫ ହଜାର ୭୩୯ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଏବେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ପେରୁ ଅପେକ୍ଷା ଅଧିକ ସଂକ୍ରମଣ ମାମଲା ରହିଛି। ‌ବିଶ୍ବରେ ପଞ୍ଚମ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ପେରୁରେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ସଂକ୍ରମଣ ମାମଲା ୬ ଲକ୍ଷ ୫୭ ହଜାର ୧୨୯ ଥିଲା। ସେହିଭଳି ମହାରାଷ୍ଟ୍ରରେ ସକ୍ରିୟ ମାମଲା ଆଜିସୁଦ୍ଧା ୨ ଲକ୍ଷ ଏବଂ ମୃତ୍ୟୁସଂଖ୍ୟା ୨୫ ହଜାର ଟପିଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟାର ୩୮ ପ୍ରତିଶତ କେବଳ ମହାରାଷ୍ଟ୍ରରୁ ରେକର୍ଡ କରାଯାଇଛି। ରାଜଧାନୀ ମୁମ୍ବାଇରେ ବୁଧବାର ସୁଦ୍ଧା ୧ ଲକ୍ଷ ୪୮ ହଜାର ୫୬୯ ସଂକ୍ରମଣ ମାମଲା ଚିହ୍ନଟ ‌ହୋଇଛି। ମୁମ୍ବାଇରେ ମୋଟ୍‌ ସଂକ୍ରମଣ ସଂଖ୍ୟା ଦେଢ଼ଲକ୍ଷ ଟପିଯିବ ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୮ ହଜାର ପାଖାପାଖି ପହଞ୍ଚିଛି। ୨ ସପ୍ତାହ ପରେ ରାଜ୍ୟର ପଜିଟିଭ୍‌ ହାର ପୁଣି ବୃଦ୍ଧି ପାଇଛି। ରାଜ୍ୟରେ ଆରୋଗ୍ୟ ହାର ୭୨.୪% ରହିଛି।

ସମ୍ବନ୍ଧିତ ଖବର