ଭାରତରେ କରୋନା : କେରଳରେ ମେଡିକାଲ ଛାତ୍ରୀ ଆକ୍ରାନ୍ତ

ମାଲେସିଆରେ ତ୍ରିପୁରା ଯୁବକଙ୍କ ମୃତ୍ୟୁ

ଥିରୁବନନ୍ତପୁରମ୍‌ :ଚୀନ୍‌ରେ ଭୟାନକ ସ୍ଥିତି ସୃଷ୍ଟି କରିଥିବା କରେନା ଭାଇରସ୍‌ ଭାରତରେ ପହଞ୍ଚିଛି। ଭାରତରେ କରୋନା ସଂକ୍ରମଣର ପ୍ରଥମ ମାମଲା ନେଇ ସରକାର ସ୍ଥିତି ସ୍ପଷ୍ଟ କରିଛନ୍ତି। ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଛାତ୍ରୀ ଜଣଙ୍କ ଉହାନ୍‌ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଏହି ଛାତ୍ରୀଙ୍କୁ ଏବେ କେରଳର ଥ୍ରିସୁର ଜେନେରାଲ୍‌ ହସ୍ପିଟାଲ୍‌ର ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି। ତାଙ୍କର ଉତ୍ତମ ଚିକିତ୍ସା କରାଯାଉଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଏହି ଛାତ୍ରୀଙ୍କ ସମେତ ଅନ୍ୟ ୩ଜଣ ମଧ୍ୟ ସ୍ବତନ୍ତ୍ର ୱାର୍ଡ‌ରେ ରହିଛନ୍ତି। ସେମାନଙ୍କୁ ଥଣ୍ଡା ଏବଂ କାଶ ହେବାରୁ ସ୍ବତନ୍ତ୍ର ୱାର୍ଡରେ ରଖାଯାଇଛି । ଶୈଲଜା କହିଛନ୍ତି, ୨୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ଗୋଟିଏ ପଜିଟିଭ୍‌ ଆସିଛି। ତେବେ କରୋନା ଭାଇରସ୍‌ ଲକ୍ଷଣ ଦେଖାଦେଲେ ରୋଗୀମାନଙ୍କର ଭଲଭାବେ ସ୍ବାସ୍ଥ୍ୟ ପରୀକ୍ଷା କରିବାପାଇଁ ସମସ୍ତ ହସ୍ପିଟାଲ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

କେରଳରେ ୮୦୦ରୁ ଅଧିକ ଲୋକ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରହିଛନ୍ତି। ତେବେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଭୟ କରିବାର କିଛି ନାହିଁ। ଭାଇରସ୍‌ ରୋକିବା ପାଇଁ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ପଦେକ୍ଷପ ଗ୍ରହଣ ହୋଇଛି। ଅନ୍ୟପକ୍ଷେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମସ୍ତ ରାଷ୍ଟ୍ରର ସରକାରମାନଙ୍କୁ ଏହି ଭୟଙ୍କର ଭାଇରସ୍‌ ରୋକିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସତର୍କ କରିଛନ୍ତି।

ମାଲେସିଆରେ ତ୍ରିପୁରା ଯୁବକଙ୍କ ମୃତ୍ୟୁ
ଅଗରତାଲା : ତ୍ରିପୁରାର ୨୩ ବର୍ଷୀୟ ଜଣେ ଯୁବକଙ୍କର କରୋନା ଭାଇରସ୍‌ ଯୋଗୁଁ ମାଲେସିଆ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଯାଇଛି। ଉକ୍ତ ଯୁବକଙ୍କୁ ମନୀର ହୋସେନ୍‌ ବୋଲି ଚିହ୍ନଟ କରାଯାଇଛି। ୨୦୧୮ରେ ସେ ମାଲେସିଆ ଯାଇଥିଲେ ଏବଂ ସେଠାରେ ଏକ ରେସ୍ତୋରାଁରେ କାମ କରୁଥିଲେ। ତେବେ ହୋସେନ୍‌ଙ୍କ କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି। ହୋସେନ୍‌ଙ୍କ ଜେଜେବାପା ଅବଦୁଲ ରହିମ କହିଛନ୍ତି, ମାଲେସିଆ କର୍ତ୍ତୃପକ୍ଷଙ୍କ ଠାରୁ ସେ ତାଙ୍କ ନାତିର ମୃତ୍ୟୁ ଖବର ପାଇଛନ୍ତି। କରୋନା ଭାଇରସ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ମାଲେସିଆ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର