‘କୋଭିଡ୍‌-୧୯’ ସଂକ୍ରମଣ: ଘରେ ଥାଇ କାମ କରିବାକୁ କର୍ମଚାରୀଙ୍କୁ କହିଲା ରିଜର୍ଭ ବ୍ୟାଙ୍କ୍‌: ଭିଡିଓ ମାଧ୍ୟମରେ ହେବ ଜରୁରୀ ବୈଠକ

ମୁମ୍ବାଇ: ଭାରତରେ କରୋନାଭାଇରସ୍‌ ସଂକ୍ରମଣ ଲାଗି ରହିଥିବାରୁ ଘରେ ଥାଇ କାମ କରିବାକୁ ଗୁରୁବାର ଦିନ ରିଜର୍ଭ ବ୍ୟାଙ୍କ୍‌ ତା’ର କର୍ମଚାରୀମାନଙ୍କୁ କହିଛି।

ମହାରାଷ୍ଟ୍ରର ମୁମ୍ବାଇରେ ଥିବା ମୁଖ୍ୟାଳୟ ସମେତ ସମସ୍ତ କର୍ମଚାରୀଙ୍କ ପ୍ରତି ରିଜର୍ଭ ବ୍ୟାଙ୍କ୍‌ ଏଭଳି ନିର୍ଦେଶ ଜାରି କରିଛି। ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ମୁମ୍ବାଇ ସରକାର ଜାରି କରିଥିବା ଆଦେଶ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ୍‌ ଏ ଭଳି ପଦକ୍ଷେପ ଗ୍ରହଣ କରିଛି।

କିନ୍ତୁ, ଆର୍ଥିକ ସ୍ଥିରତା ସମ୍ବନ୍ଧୀୟ ସମସ୍ତ ଜରୁରୀ ବୈଠକ ପୂର୍ବଭଳି ନିୟମିତ ଚାଲିବ କିନ୍ତୁ, ଏବେ ତାହା ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କରାଯିବ।

Image Source: Zee News

ମହାରାଷ୍ଟ୍ରରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଟପିଥିବାରୁ ଲୋକେ ଯଥା ସମ୍ଭବ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଅଫିସ୍‌ରେ କର୍ମଚାରୀ ସଂଖ୍ୟା କମାଇବା ସହ ଜନଗହଳି ହେଉଥିବା ସ୍ଥାନଗୁଡ଼ିକୁ ବନ୍ଦ ରଖିବାକୁ ସେ ନିର୍ଦେଶ ଦେଇଛନ୍ତି।

କରୋନାଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ‘ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ରାସ୍ତାଘାଟରେ ଛେପ ପକାଉଥିବା ଲୋକଙ୍କ ଉପରେ ଜରିମାନା କରିବା ଆରମ୍ଭ କରିଛି। ଏଯାବତ୍‌ ଶତାଧିକ ଲୋକଙ୍କ ଉପରେ ଜରିମାନା କରାଯାଇ ୧ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରାଯାଇଛି ବୋଲି ‘ବିଏମ୍‌ସି’ କହିଛି।

ସମ୍ବନ୍ଧିତ ଖବର