ବେଜିଂ: ବିଶ୍ବ ବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ଏବେ ଭାରତରେ ପହଞ୍ଚିଥିବା ଆଶଙ୍କା କରାଯାଉଛି। ଚୀନ୍ରୁ ମୁମ୍ବାଇକୁ ଫେରିଥିବା ୨ ଜଣ ଯୁବକଙ୍କୁ କସ୍ତୁରବା ହସ୍ପିଟାଲ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି। ସେମାାନଙ୍କୁ ଥଣ୍ଡା ଏବଂ କାଶ ହେବା ସହ କରୋନା ଭାଇରସ୍ର ଲକ୍ଷଣ ଦେଖାଦେବାରୁ ତୁରନ୍ତ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି। ବିଏମ୍ସି କାର୍ଯ୍ୟନିର୍ବାହୀ ସ୍ବାସ୍ଥ୍ୟ ଅଧିକାରୀ ଡା ପଦ୍ମଜା କେଶ୍ବର କହିଛନ୍ତି କରୋନା ଭାଇରସ୍ ପରି ଲକ୍ଷଣ ଦେଖାଯାଉଥିବା ଲୋକମାନଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ମୁମ୍ବାଇରେ ସମସ୍ତ ଘରୋଇ ହସ୍ପିଟାଲ୍ର ଡାକ୍ତରମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇ ପରି ପ୍ରମୁଖ ସହରର ଅନ୍ତର୍ଜାତୀୟ ବିମାନବନ୍ଦରରେ କଠୋର ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।
ଚୀନ୍ରୁ ଫେରୁଥିବା ଯାତ୍ରୀମାନଙ୍କଠାରେ କରୋନା ଭାଇରସ୍ ପରି କିଛି ଲକ୍ଷଣ ଦେଖାଦେଲେ କିମ୍ବା ସାମାନ୍ୟ ଅସୁସ୍ଥ ହେଲେ ମଧ୍ୟ ସେମାନଙ୍କୁ ପୃଥକ ୱାର୍ଡରେ ଅବଜରବେସନ୍ରେ ରଖିବାପାଇଁ କୁହାଯାଇଛି। ଭାରତରେ ଶୁକ୍ରବାର ସୁଦ୍ଧା ବିଭିନ୍ନ ବିମାନବନ୍ଦରରେ ପ୍ରାୟ ୨୦୨,୦୦୦ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଛି। ଦିଲ୍ଲୀ ଏମ୍ସରେ କରୋନା ଭାଇରସ୍ର ଚିକିତ୍ସା ପାଇଁ ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡର ବ୍ୟବସ୍ଥା କରାଯାଇଛି।
ବେଜିଂ: ଚୀନ୍ର ଉହାନ୍ ସହର କରୋନା ଭାଇରସ୍ ଦ୍ବାରା ସର୍ବାଧିକ ଆକ୍ରାନ୍ତ ଥିବା ବେଳେ ସେଠାରେ ୨୫ ଭାରତୀୟ ଛାତ୍ର ଫସିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ କେରଳର। ୧୪ ଜଣ ଉହାନ୍ଠାରୁ ୩୦୦ କିମି ଦୂର ଇଚାଙ୍ଗର ଏକ ହସ୍ପିଟାଲ୍ରେ ଇଣ୍ଟର୍ନସିପ୍ କରୁଛନ୍ତି। ସମସ୍ତ ଛାତ୍ରଙ୍କୁ ଭାରତ ଫେରାଇ ଆଣିବା ଯୋଜନା ଚାଲିଛି। ଭାରତ ପକ୍ଷରୁ ମଧ୍ୟ ଚୀନ୍ରେ ସ୍ଥିତି ନିରିକ୍ଷଣ କରାଯାଉଛି। ଡବ୍ଲୁଏଚ୍ଓ ଏନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। କରୋନା ଭାଇରସ୍ ସିଙ୍ଗାପୁର ଏବଂ ଭିଏତନାମରେ ମଧ୍ୟ ପହଞ୍ଚିଲାଣି। ପୂର୍ବରୁ ଏହା ଜାପାନ୍, ହଂକଂ, ଦକ୍ଷିଣ କୋରିଆ, ତାଇୱାନ୍ , ଥାଇଲାଣ୍ଡ୍ ଏବଂ ଆମେରିକାରେ ପହଞ୍ଚିଥିଲା। ତେବେ ଚୀନ୍ରେ ସ୍ଥିତି ଭୟାନକ ରୂପ ନେଇଥିବାରୁ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ହେବନାହିଁ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/fhk564fh98k7984hf68k78kd65ghkjdjkjkjkjkjkjkjkjkjkjkjkjkjkjkjkjkjk.jpg)