୨ ବ୍ରାଜିଲ୍ ଗଭର୍ଣ୍ଣର ଭାଇରସ୍ ପଜିଟିଭ୍
ଜର୍ମାନୀରେ କ୍ୟାନ୍ସର ୱାର୍ଡରେ ବ୍ୟାପିଲା ସଂକ୍ରମଣ
ୱାସିଂଟନ : ବିଶ୍ବ୍ୟବ୍ୟାପୀ ୨୧୦ ରାଷ୍ଟ୍ରରେ କରୋନା ଭାଇରସର ପ୍ରକୋପ ଜାରି ରହିଛି। ୨୦ ଲକ୍ଷ ୧୭ ହଜାର ଲୋକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍ ପାଇଁ ୧ ଲକ୍ଷ ୨୮ ହଜାର ଲୋକଙ୍କ ଜୀବନ ଯାଇଛି। କେବଳ ୟୁରୋପ୍ରେ ୧୦ ଲକ୍ଷ ଲୋକ କରୋନା ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ଏବଂ ୮୫,୦୦୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି। ସ୍ପେନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଏଠାରେ ପ୍ରାୟ ୧ଲକ୍ଷ ୭୭ ହଜାରରୁ ଅଧିକ ଲୋକ ଭାଇରସ୍ ଆକ୍ରାନ୍ତ ହୋଇଥିବା ବେଳେ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ ୧ ଲକ୍ଷ ୬୨ ହଜାର ଲୋକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୧,୦୬୭ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୫,୭୨୯ ରହିଛି।
ଆମେରିକାରେ ସ୍ଥିତି ଦିନକୁ ଜଟିଳ ହେବାରେ ଲାଗିଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୧୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଗୋଟିଏ ଦିନରେ ସବୁଠୁ ଅଧିକ। ପୂର୍ବରୁ ଏପ୍ରିଲ ୧୦ ତାରିଖରେ ଗୋଟିଏ ଦିନରେ ୨ହଜାର ୭୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୬ ଲକ୍ଷରୁ ଅଧିକ ଆମେରିକୀୟ ଭାଇରସ୍ ସଂକ୍ରମିତ ହୋଇଛନ୍ତି। ଆମେରିକାରେ ନ୍ୟୁୟର୍କ ଭାଇରସ୍ର କେନ୍ଦ୍ରସ୍ଥଳ ପାଲଟିଛି। କେବଳ ନ୍ୟୁୟର୍କରେ ୨ଲକ୍ଷ ୩ ହଜାର ଲୋକ ଭାଇରସ୍ ସଂକ୍ରମିତ ହୋଇଥିବାବେଳେ ୧୦ ହଜାର ୮ଶହ ଲୋକଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ସମୁଦାୟ ୨୫,୯୮୧ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ସେପଟେ ବ୍ରାଜିଲ୍ର ୨ ଜଣ ଗଭର୍ଣ୍ଣର ତଥା ରିଓ ଡି ଜେନେରିଓର ୱିଲସନ ୱିଜେଲ ଏବଂ ଉତ୍ତର ପାରା ରାଜ୍ୟର ହେଲଡର ବାରବାଲୋ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି। ଭାଇରସ୍ ସଂକ୍ରମିତ ହେବାପରେ ଉକ୍ତ ୨ ଗଭର୍ଣ୍ଣର ଆଇସୋଲେସନ୍ରେ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଘରେ ରହିବାକୁ ଏବଂ ମାତ୍ରାଧିକ ସତର୍କ ରହିବାକୁ କହିଛନ୍ତି।
ଜାପାନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୦୦ ଟପିଛି। ଜାପାନ୍ରେ ଯଦି କରୋନାକୁ ସଠିକ୍ ଭାବେ ମୁକାବିଲା କରାନଯାଏ ତେବେ ୪ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଜାପାନ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଜାପାନ୍ରେ ୮ ଲକ୍ଷ ୫୦ ହଜାର ଲୋକଙ୍କ ପାଇଁ ଭେଣ୍ଟିଲେଟର ଦରକାର ପଡ଼ିପାରେ। ଅନ୍ୟପକ୍ଷେ ଜର୍ମାନୀର ଏକ ହସ୍ପିଟାଲ୍ର କ୍ୟାନ୍ସର ୱାର୍ଡରେ ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ହସ୍ପିଟାଲ୍ରେ ପ୍ରାୟ ୨୦ ରୋଗୀ ଏବଂ ୨୦ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/corona-da.jpg)