କରୋନାଭାଇରସ୍‌: ପରୀକ୍ଷାମୂଳକ ପ୍ଲାଜମା ଚିକିତ୍ସା ପାଇଁ ପ୍ରସ୍ତୁତି ଚଳାଇଛି ଭାରତ

ନୂଆଦିଲ୍ଲୀ: କରୋନାଭାଇରସ୍ ଆକ୍ରାନ୍ତ ରୋଗୀମାନଙ୍କୁ ପ୍ଲାଜମା ଚିକିତ୍ସା କରାଇବାକୁ ଭାରତ ପ୍ରସ୍ତୁତି ଚଳାଇଛି। ପୂର୍ବରୁ କରୋନାଭାଇରସ୍ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ଠାରୁ ଏହି ପ୍ଲାଜମା ସଂଗ୍ରହ କରାଯାଇଥାଏ। ଚିକିତ୍ସା ହୋଇ ସୁସ୍ଥ ହୋଇଥିବା ଏହି ବ୍ୟକ୍ତିମାନଙ୍କ ରକ୍ତ ରୋଗ ପ୍ରତିରୋଧକ ଶକ୍ତିରେ ସମୃଦ୍ଧ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ପ୍ଲାଜମା ଚିକିତ୍ସା ଦ୍ବାରା କୋଭିଡ୍-୧୯ ଚିକିତ୍ସା ଫଳପ୍ରଦ ହେଉଥିବା କଥା ଆମେରିକୀୟ ପତ୍ରିକା ‘ପ୍ରୋସିଡିଙ୍ଗସ୍ ଅଫ୍ ଦି ନ୍ୟାସନାଲ୍ ଏକାଡେମି ଅଫ୍ ସାଇନସେସ୍’ ଗୁରୁବାର ଦିନ ରିପୋର୍ଟ କରିଛି।

ଚୀନରେ ଅତ୍ୟନ୍ତ ସଙ୍କଟଜନକ ସ୍ବାସ୍ଥ୍ୟାବସ୍ଥା ଥିବା ଦଶଜଣ କୋଭିଡ୍ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆ ଯାଇ ଚିକିତ୍ସା କରାଯାଇଥିଲା। ପ୍ଲାଜମାର ଗୋଟିଏ ପାନରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉଲ୍ଲେଖଯୋଗ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ଅନ୍ୟାନ୍ୟ କେତେକ ଦେଶରେ ମଧ୍ୟ ଭେଣ୍ଟିଲେଟରରେ ଥିବା ସୀମିତ ସଂଖ୍ୟକ କୋଭିଡ୍-୧୯ ରୋଗୀଙ୍କ ଠାରେ ପ୍ଲାଜମା ପ୍ରୟୋଗ କରାଯାଇ ଚିକିତ୍ସା କରାଯାଇଛି।

Image Source: The Economic Times

ଭାରତର ସର୍ବୋଚ୍ଚ ବାୟୋମେଡିକାଲ୍ ଗବେଷଣା ଅନୁଷ୍ଠାନ ‘ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ (ଆଇସିଏମଆର୍) ପ୍ଲାଜମା ଚିକିତ୍ସାର ପରୀକ୍ଷଣ ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତି କରୁଛି। ଦିନେ ଦୁଇ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଗଲେ ପରୀକ୍ଷାମୂଳକ ଚିକିତ୍ସା ନିମନ୍ତେ ‘ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ ଅନୁମ‌ୋଦନ ପାଇଁ ପଠାଯିବ।

 

କିନ୍ତୁ, ‘ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ ଅନୁମ‌ୋଦନ ବିନା ଭାରତରେ ଏହି ଚିକିତ୍ସାର ଡାକ୍ତରୀ ପରୀକ୍ଷଣ ‌ହୋଇପାରିବ ନାହିଁ ବୋଲି ଚେନ୍ନାଇସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏମିଡୋମିଓଲୋଜିର ନିର୍ଦେଶକ ଡାକ୍ତର ଭି ମୁର୍ହେକର କହିଛନ୍ତି।

ସମ୍ବନ୍ଧିତ ଖବର