କରୋନାଭାଇରସ : ଭାରତ ସରକାର ସତର୍କ, ବିମାନବନ୍ଦରରେ ୨୦,୮୪୪ ଯାତ୍ରୀଙ୍କ ସ୍ୱାସ୍ଥ୍ୟଯାଞ୍ଚ କରାଗଲା

ନୂଆଦିଲ୍ଲୀ : କରୋନାଭାଇରସ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଶୁକ୍ରବାରଦିନ ଦେଶର ବିଭିନ୍ନ ବିମାନବନ୍ଦରରେ ପ୍ରାୟ ୪୦୮୨ ଯାତ୍ରୀଙ୍କ ସ୍ୱାସ୍ଥ୍ୟଯାଞ୍ଚ କରାଯାଇଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ୯୬ଟି ବିମାନରେ ଆସିଥିବା ପ୍ରାୟ ୨୦,୮୪୪ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି । ଗତକାଲି ୬୦ଟି ବିମାନରେ ଆସିଥିବା ପ୍ରାୟ ୧୨,୮୨୮ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ଦେଶରେ କୌଣସି ଲୋକଙ୍କଠାରେ କରୋନା ଭାଇରସ ଚିହ୍ନଟ କରାଯାଇନାହିଁ। ତେବେ ୩ ଜଣ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।

ଏହି ଭାଇରସ ଦ୍ୱାରା ଏପର୍ଯ୍ୟନ୍ତ ସାରା ବିଶ୍ୱରେ ମୋଟ ୨୬ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି । ଏ ସମସ୍ତ ମୃତ୍ୟୁ ଚୀନରେ ହୋଇଛି । ଏହି ଭାଇରସ ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଚୀନ ସରକାର ମିଲିଟାରୀ ଡାକ୍ତରମାନଙ୍କୁ ବିଭିନ୍ନ ହସପିଟାଲକୁ ପଠାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ମିଲିଟାରୀ ଡାକ୍ତରଙ୍କୁ ପଠାଯାଇଛି । ଆଗାମୀ ଦିନରେ ଆଉ କେତେକ ମିଲିଟାରୀ ଡାକ୍ତରଙ୍କୁ ପ୍ରେରଣ କରାଯିବାକୁ ଯୋଜନା କରାଯାଉଛି ।
ଏହି ଭାଇରସର ସଂକ୍ରମଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତୀକ୍ଷଣ ନଜର ରଖିଛି । ଗତ କାଲି ସଂଗଠନ ପକ୍ଷରୁ ଏକ ଜରୁରୀବୈଠକ ଡକାଯାଇ ସ୍ଥିତିର ସମୀକ୍ଷା କରାଯାଇଛି । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ପ୍ରାୟ ୯୦୨ ଜଣ ଲୋକଙ୍କ ଶରୀରରେ କରୋନାଭାଇରସ ଚିହ୍ନଟ କରାଯାଇଛି ।

ସମ୍ବନ୍ଧିତ ଖବର