ୟୁରୋପରେ କରୋନା ସଂକ୍ରମଣ ବଢ଼ୁଛି: ଭାରତରେ ୨୪ ଘଣ୍ଟାରେ ୨୫୯୩ ମାମଲା

ସାଂଘାଇରେ କଟକଣାକୁ ପ୍ରବଳ ବିରୋଧ

ନୂଆଦିଲ୍ଲୀ: ୟୁରୋପର ଅନେକ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କିନ୍ତୁ ହଂକଂ, ସିଙ୍ଗାପୁର ଏବଂ ଥାଇଲାଣ୍ଡରେ ସଂକ୍ରମଣ କମୁଛି। ତେଣୁ ଏସବୁ ସ୍ଥାନରେ ପ୍ରଶାସନ ପୂର୍ବରୁ ଲଗାଇଥିବା କଟକଣାକୁ ଆଗାମୀ ଦିନରେ କୋହଳ କରିବା ସମ୍ଭାବନା ରହିଛି। ଭାରତରେ ଗତ ୨୪ ଘଣ୍ଟାରେ ୨୫୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ମଧ୍ୟ ଆଜି ୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହଂକଂରେ ଦୈନିକ ସଂକ୍ରମଣ ଚଳିତ ସପ୍ତାହ ସାରା ୧୦୦୦ରୁ କମ୍‌ ରହିଛି। କିନ୍ତୁ ମାର୍ଚ୍ଚରେ ହଂକଂରେ କରୋନା ସଂକ୍ରମଣ ବହୁ ଅଧିକ ରହୁଥିଲା। ଏପରିକି ଦୈନିକ ସଂକ୍ରମଣ ୭୦ ହଜାର ଟପିଯାଇଥିଲା। ତେବେ ନିକଟରେ ‌ଚୀନର ସାଂଘାଇ କରୋନାର ନୂଆ ହଟ୍‌ସ୍ପଟରେ ପରିଣତ ହୋଇଥିଲା। କିନ୍ତୁ ଏଠାରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଶନିବାର ଏଠାରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା କିଛିମାତ୍ରାରେ କମିଛି। କିନ୍ତୁ ଲୋକଙ୍କ ଘର ଆଗରେ ପ୍ରଶାସନ ବ୍ୟାରିକେଡ୍ ନିର୍ମାଣ କରି ସେମାନଙ୍କୁ ବାହାରକୁ ବାହାରିବା ଲାଗି ଦେଉ ନଥିବ‌ାରୁ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ ଏହାକୁ ପ୍ରବଳ ବିରୋଧ କରିଛନ୍ତି। ସାଂଘାଇର ଅଢ଼େଇ କୋଟି ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ କଡ଼ା କଟକଣାରେ ରହିଛନ୍ତି।

ସୂଚନା ଅନୁଯାୟୀ ଇଟାଲିରେ ଶୁକ୍ରବାର ଦୈନିକ କରୋନା ସଂକ୍ରମଣ ୭୩୨୧୨ ରହିଥିବାବେଳେ ଶନିବାର ଏହା ୭୦୫୨୦କୁ କମିଛି। ସେହିଭଳି ଦୈନିକ ମୃତ୍ୟୁସଂଖ୍ୟା ୨୦୨ରୁ ହ୍ରାସ ପାଇ ଶନିବାର ୧୪୩ ରହିଛି। ଫ୍ରାନ୍ସରେ ଦୈନିକ ସଂକ୍ରମଣ ସଂଖ୍ୟା ୮୮୩୮୯କୁ ବୃଦ୍ଧି ପାଇଛି। ଦେଶରେ ରାଷ୍ଟ୍ରପତି ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ସଂକ୍ରମଣ ବଢ଼ିଛି।

ସମ୍ବନ୍ଧିତ ଖବର