ବାୟୁରେ ୫ମିନିଟ୍ ଭିତରେ ଭୂତାଣୁର କ୍ଷମତା ହ୍ରାସ ପାଉଛି; ଗବେଷକଙ୍କ ମତ

ନୂଆଦିଲ୍ଲୀ: କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବା ନେଇ ପୂର୍ବରୁ ଅନେକ ବୈଜ୍ଞାନିକ ସତର୍କ କରିଛନ୍ତି । ଏପରିକି କରୋନା ଭୂତାଣୁ ବାୟୁରେ ଘଣ୍ଟା ଘଣ୍ଟା ଧରି ସକ୍ରିୟ ରହୁଥିବା କଥା ବି କୁହାଯାଏ । ହେଲେ, ଏବେ ବିଟ୍ରେନର ଖ୍ୟାତନାମା ବିଶ୍ୱବିଦ୍ୟାଳୟ ବ୍ରିଷ୍ଟୋଲର ଗବେଷକମାନେ କହିଛନ୍ତି ବାୟୁରେ ୫ମିନିଟ୍ ଭିତରେ ଭୂତାଣୁର କ୍ଷମତା ହ୍ରାସ ପାଉଛି । ତେବେ ବଡ ବଡ ବୈଜ୍ଞାନିକ ଏହାକୁ ସ୍ୱୀକୃତି ଦେଇ ନାହାନ୍ତି ।

୫ ମିନିଟରେ ଦୁର୍ବଳ ହେଉଛି କରୋନା ଭୂତାଣୁ ! ଦାବି କଲେ ବ୍ରିଷ୍ଟୋଲ ୟୁନିଭରସିଟିର ଗବେଷକ । ସାରା ବିଶ୍ୱରେ କରୋନା ସଂକ୍ରମଣ ବଢୁଥିବା ବେଳେ ବଡ଼ ବୟାନ ଦେଇଛନ୍ତି ବ୍ରିଟେନର ଖ୍ୟାତନାମା ବିଶ୍ୱବିଦ୍ୟାଳୟ ‘ବ୍ରିଷ୍ଟୋଲ’ର ଗବେଷକ । ୫ ମିନିଟ ଭିତରେ କରୋନା ଭୂତାଣୁର କ୍ଷମତା ହ୍ରାସ ପାଉଥିବା ନେଇ ସେମାନେ ଦାବି କରିଛନ୍ତି । କହିଛନ୍ତି, ଜଣେ କରୋନା ଆକ୍ରାନ୍ତ ନିଶ୍ୱାସ ଛାଡିବା ବେଳେ ଭୂତାଣୁର ଯେତିକି କ୍ଷମତା ଥାଏ, ମାତ୍ର ୨୦ ମିନିଟ ମଧ୍ୟରେ ୯୦ ପ୍ରତିଶତ କ୍ଷମତା ହ୍ରାସ ପାଉଛି । ଅର୍ଥାତ୍ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଆଖିଦୃଶିଆ ଭାବେ ହ୍ରାସ ପାଉଛି ଏହାର ସଂକ୍ରମକ କ୍ଷମତା । ମେଡ୍ ଆର୍କାଇଭରେ ଏ ନେଇ ତଥ୍ୟ ପ୍ରକାଶ ପାଇଛି ।

ବ୍ରିଷ୍ଟୋଲ ୟୁନିଭରସିଟିର ଗବେଷଣା । ସ୍ୱତନ୍ତ୍ର ବୈଜ୍ଞାନିକ ପଦ୍ଧତିରେ କରୋନା ଭୂତାଣୁକୁ ନେଇ କରାଯାଇଛି ଗବେଷଣା । ଭୂତାଣୁ ଥିବା ଜଳୀୟକଣା ସ୍ୱତନ୍ତ୍ର ଚାମ୍ବରରେ ରଖାଯାଇଥିଲା । ସାଧାରଣ ତାପମାତ୍ରା, ଆଲୋକ, ଜଳବାୟୁ ମଧ୍ୟରେ ପରୀକ୍ଷା କରାଯାଇଥିଲା । ଭୂତାଣୁର ପରିବର୍ତ୍ତନକୁ ଲକ୍ଷ୍ୟ ରଖିଥିଲେ ଗବେଷକ । ଗବେଷଣାରୁ ଜଣାପଡିଥିଲା କିଛି ମିନିଟ୍ ମଧ୍ୟରେ ଦୁର୍ବଳ ହେଉଛି ଭୂତାଣୁ । ଆଦ୍ରତା କମ୍ ରହିଲେ ଭୂତାଣୁର ସଂକ୍ରମକ କ୍ଷମତା ଯଥେଷ୍ଟ ହ୍ରାସ ପାଉଛି । ଏହି ଗବେଷଣା, ବିଶ୍ୱର ବଡ଼ ବଡ଼ ବିଶେଷଜ୍ଞମାନଙ୍କ ସ୍ୱୀକୃତି ପାଇନାହିଁ । ପୂର୍ବରୁ କରୋନା ଭୂତାଣୁ ଘଣ୍ଟା ଘଣ୍ଟା ଧରି ସକ୍ରିୟ ରହୁଥିବା ନେଇ କହିଥିଲେ ବୈଜ୍ଞାନିକ । ତେବେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରୋନା ଲଢ଼େଇରେ ସବୁଠୁ ବଡ଼ ଅସ୍ତ୍ର ବୋଲି କହିଛନ୍ତି ବିଶେଷଜ୍ଞ ।

 

 

ସମ୍ବନ୍ଧିତ ଖବର