ନୂଆଦିଲ୍ଲୀ: ଦେଶରେ ମେ ୪ ତାରିଖରୁ ଆହୁରି ୧୫ ଦିନ ଲକ୍ଡାଉନ୍ ଘୋଷଣା ହେବା ପରେ କେନ୍ଦ୍ର ସରକାର କିଛି ନିର୍ଦ୍ଦିଷ୍ଟ ସର୍ତ୍ତରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। କରୋନା ସଂକ୍ରମଣ ନେଇ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ରେ ବିଭକ୍ତ କରାଯାଇଥିବା ୩ଟି ଜୋନ୍ ଭିତରୁ ଅରେଞ୍ଜ ଓ ଗ୍ରିନ୍ ଜୋନ୍ରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି।
କେବଳ ସେତିକି ନୁହେଁ, କଣ୍ଟେନ୍ମେଣ୍ଟ୍ ଅଞ୍ଚଳ ଓ ହଟ୍ସ୍ପଟ୍ର ବାହାରେ ମଧ୍ୟ ମଦ ବେପାରକୁ ଅନୁମତି ମିଳିଛି। ମାତ୍ର ସପିଂ ମଲ୍ମାନଙ୍କରେ ମଦ ବିକ୍ରି ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଆସନ୍ତା ସୋମବାରଠାରୁ ଏହି ନିୟମ ଲାଗୁ ହେବ ବୋଲି ସୂଚନା ରହିଛି।
ମଲ୍ ଏବଂ ସପିଂ କମ୍ପ୍ଲେକ୍ସରେ ଥିବା ମଦ ଓ ତମାଖୁ ଷ୍ଟଲ୍ଗୁଡ଼ିକ ପୂର୍ବ ପରି ବନ୍ଦ ରହିବ। ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି ଯେ ଗ୍ରାହକମାନଙ୍କଠାରୁ ଦୋକାନୀମାନେ ଅତି କମ୍ରେ ୬ ଫୁଟ୍ ଦୂରତ୍ବ ବଜାୟ ରଖିବେ। ଦୋକାନରେ ଏକା ସାଥିରେ ୫ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ।
ଆହୁରି ବି କୁହାଯାଇଛି ଯେ ପାନ, ଗୁଟ୍ଖା ଖାଇ ସର୍ବସାଧାରଣରେ ଛେପ ପକାଇଲେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ନିୟମ ଅନୁସାରେ ଦଣ୍ଡିତ ହୋଇ ଜରିମାନା ଦେବାକୁ ପଡ଼ିବ।