ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଆଜି : ଦେଶରେ ଏମିତି କୋହଳ ହୋଇପାରେ ଲକ୍‌ଡାଉନ୍‌

ତିନିଟି ଜୋନ୍ ପାଇଁ ଯୋଜନା
ରେଡ୍ ଜୋନରେ ସଂପୂର୍ଣ୍ଣ କଟକଣା
ଅରେଞ୍ଜ‌ ଜୋନ୍‌ରେ ଆଂଶିକ
ଗ୍ରିନ୍‌ ଜୋନ୍‌ ‌ହୋଇପାରେ ମୁକ୍ତ

ନୂଆଦିଲ୍ଲୀ : ଦେଶରେ ଜାରି ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଆସନ୍ତାକାଲି ଶେଷ ହେଉଛି। ଲକ୍‌ଡାଉନ୍‌କୁ ନେଇ ଆଗକୁ ସରକାରଙ୍କ ଯୋଜନା ସଂପର୍କରେ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ। ଲକ୍‌ଡାଉନ୍‌ ଆଉ ୨ ସପ୍ତାହ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ରାଜ୍ୟମାନଙ୍କୁ ସ୍ପଷ୍ଟ ସଙ୍କେତ ଦେଇସାରିଛନ୍ତି ଏବଂ ଏ ବାବଦରେ ସେ ଆନୁଷ୍ଠାନିକ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଓଡ଼ିଶା ସମେତ ମହାରାଷ୍ଟ୍ର, ପଂଜାବ, ଦିଲ୍ଲୀ, ତେଲେଙ୍ଗାନା, ପଶ୍ଚିମବଂଗ ଆଦି ରାଜ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇବା ନେଇ ଘୋଷଣା କରିସାରିଛନ୍ତି।

୨୧ ଦିନ ଲକ୍‌ଡାଉନ୍‌ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଉପରେ ଏକ ନକରାତ୍ମକ ପ୍ରଭାବ ପଡ଼ିଛି। ଲୋକଙ୍କ ପାଖରେ ଏବେ କାମଧନ୍ଦା ନାହିଁ। ଏଭଳି ସ୍ଥିତିରେ ସରକାର କୃଷି, ଗୁରୁତ୍ବପୂର୍ଣ୍ଣ କାରଖାନା ଏବଂ ପରିବହନ ଉପରେ ଲଗାଯାଇଥିବା କଟକଣା କୋହଳ କରିପାରନ୍ତି। ବିଭିନ୍ନ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଖୋଲିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି। ତେବେ କାରଖାନା ମାଲିକଙ୍କ ପାଇଁ କଡ଼ା ସର୍ତ୍ତ ସହ ଏଭଳି ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ଗତ ୬ ବର୍ଷ ମଧ୍ୟରେ ଅଭିବୃଦ୍ଧି ହାର ହ୍ରାସ ପାଇଥିବା ବେଳେ କରୋନା ଯୋଗୁଁ ‌ ଯେଉଁ ଲକ୍ ଡାଉନ୍ ଘୋଷଣା କରାଯାଇଛି ତାହା ଦେଶର ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ଲକ୍ଷ ଲକ୍ଷ ଲୋକ ବେକାର ହୋଇଛନ୍ତି ଏବଂ ହଜାର ହଜାର ସଂଖ୍ୟାରେ କ୍ଷୁଦ୍ର ଶିଳ୍ପ ତଥା ବ୍ୟବସାୟ ବନ୍ଦ ହୋଇଯାଇଛି। ଏହାକୁ ନେଇ ପରିସ୍ଥିତି ବିପଜ୍ଜନକ ହୋଇପଡ଼ିଥିବାରୁ କେନ୍ଦ୍ର ସରକାର ଏଥର ଲକ୍ ଡାଉନ୍ ସମୟରେ କିଛି କୋହଳ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଦେଶର ଏଭଳି ୪୦୦ ଜିଲ୍ଲା ଅଛି ଯେଉଁଠ‌ାରେ କରୋନା ସଂକ୍ରମଣର କୌଣସି ରିପୋର୍ଟ ନାହିଁ। ସେହିସବୁ ଅଞ୍ଚଳରେ ସୀମିତ ପରିବହନ ସେବା ସହିତ କୃଷି, ନିର୍ମାଣ ଏବଂ ଉତ୍ପାଦନ କାର୍ଯ୍ୟ ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କରୋନା ସଂକ୍ରମଣକୁ ନେଇ ଦେଶକୁ ତିନିଟି ଜୋନ ଯଥା ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଅଞ୍ଚଳରେ ବିଭାଜିିତ କରାଯିବ।। ଗୁରୁତର ସଂକ୍ରମିତ ଅଞ୍ଚଳକୁ ରେଡ୍ ଜୋନରେ ରଖାଯାଇଛି ଏବଂ ଏଠାରେ ଲକ୍ ଡାଉନ୍ କଟକଣା କଡାକଡ଼ି ପାଳନ କରାଯିବ। ଏହି ଜୋନରେ କୌଣସି ରିହାତି ମିଳିବ ନାହିଁ। ଯେଉଁ ଅଞ୍ଚଳରେ ସଂକ୍ରମଣ କମି କମି ଯାଉଛି ଏବଂ ଆଗାମୀ ଦିନରେ ଆହୁରି କମିବାର ସମ୍ଭାବନା ରହିଛି ତାହାକୁ ଅ‌ରେଞ୍ଜ ଜୋନରେ ରଖାଯିବ। ସେଠାରେ କୃଷି ଓ ନିର୍ମାଣ କାମକୁ ଆଂଶିକ ଅନୁମତି ମିଳିବ। ସେହିଭଳି ସଂକ୍ରମଣ ମୁକ୍ତ ଅଞ୍ଚଳକୁ ଗ୍ରୀନ ଜୋନରେ ରଖାଯିବ। ଏଠାରେ ସୀମିତ ପରିବହନ ସେବା ସହିତ କୃଷି, ନିର୍ମାଣ ଏବଂ ଉତ୍ପାଦନ କାର୍ଯ୍ୟ ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି। ତେବେ କୋହଳ ବ୍ୟବସ୍ଥା ସତ୍ତ୍ବେ ସାମାଜିକ ଦୂରତ୍ବକୁ ନିଶ୍ଚିତ କରିବା ଲାଗି ସ୍ପଷ୍ଟ ନିର୍ଦେଶ ଦିଆଯିବ।

ସମ୍ବନ୍ଧିତ ଖବର