କରୋନା ମୁକାବିଲା : ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘‌କେୟାର୍ସ ଫଣ୍ଡ’

୨୫ କୋଟି ଟଙ୍କା ଦାନ କଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ : କରୋନା ଭାଇରସ୍‌ ବିଶ୍ବ ମହାମାରୀର ମୁକାବିଲା ପାଇଁ ଦେଶର ସମସ୍ତ ନାଗରିକ ଏକଜୁଟ୍‌ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ମୁକାବିଲା ଦିଗରେ ସହଯୋଗ କରିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ମୋଦୀ ଆଜି ପିଏମ୍‌ କେୟାର୍ସ ଫଣ୍ଡ୍‌ (ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଏବଂ ଜରୁରୀ ରିଲିଫ୍‌ ପାଣ୍ଠି)ଆରମ୍ଭ କରିଛନ୍ତି। ଏହି ଟ୍ରଷ୍ଟ୍‌ର ଅଧ୍ୟକ୍ଷ ମୋଦୀ ରହିବେ ଏବଂ ଟ୍ରଷ୍ଟ୍‌ର ଅନ୍ୟ ସଦସ୍ୟମ‌ାନେ ହେଲେ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ। ମୋଦୀ କହିଛନ୍ତି, ଦେଶବ୍ୟାପୀ ଲୋକମାନେ କରୋନା ଯୁଦ୍ଧ ବିରୋଧରେ ଲଢ଼େଇ ପାଇଁ ଦାନ କରିବାକୁ ଇଚ୍ଛ‌ା ପ୍ରକାଶ କରିବାରୁ ଏକ ‘ଏମର୍ଜେନ୍ସି ଫଣ୍ଡ୍‌‘ ଗଠନ ହୋଇଛି।

ନାଗରିକମାନେ ଏହି ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଦାନ କରିବା ପାଇଁ ମୋଦୀ କହିଛନ୍ତି। ଏ ବାବଦରେ ତଥ୍ୟ ରଖି ମୋଦୀ କହିଛନ୍ତି, ପିଏମ୍‌ କେୟାର୍ସ ଫଣ୍ଡ୍‌ ମାଇକ୍ରୋ ଡୋନେସନ୍‌ ମଧ୍ୟ ଗ୍ରହଣ କରୁଛି। ଏହା ବିପର୍ଯ୍ୟୟ ପରିଚାଳନା ଦକ୍ଷତା‌ ବୃଦ୍ଧି କରିବ ଏବଂ ‌ ନାଗରିକଙ୍କୁ ସୁରକ୍ଷା ଦିଗରେ ଆହୁରି ଅଧିକ ଗବେଷଣାମୂଳକ କାର୍ଯ୍ୟ ପାଇଁ ମଧ୍ୟ ପ୍ରେରଣା ‌ଯୋଗାଇବ। ନାଗରିକ ଏବଂ ଅନୁଷ୍ଠାନଗୁଡ଼ିକ ପିଏମ୍‌ଇଣ୍ଡିଆ.ଜିଓଭି.ଇନ୍‌ ୱେବସାଇଟ୍‌କୁ ଯାଇ ପିଏମ୍‌ କେୟାର୍ସ ଫଣ୍ଡ୍‌ରେ ଅର୍ଥଦାନ କରିପାରିବେ ବୋଲି ପ୍ରଧାନମନନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ଆଜି ବଲିଉଡ୍‌ ସୁପର୍‌ଷ୍ଟାର ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଅକ୍ଷୟ କହିଛନ୍ତି। ସେହିଭଳି ୫୧ କୋଟି ଟଙ୍କା ଦାନ କରିଛି ବିସିସିଆଇ।

ସମ୍ବନ୍ଧିତ ଖବର