କରୋନା ଭୟ: ମଝି ସମୁଦ୍ରରେ ଜାହାଜ ଭିତରେ ବନ୍ଦୀ ଥିବା ଓଡ଼ିଶାର ଇଞ୍ଜିନିୟର ଭିଡିଓ ମେସେଜ ଜାରି ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କଲେ

ଭୁବନେଶ୍ୱର: ଓଡ଼ିଶାର ଜନୈକ ଇଞ୍ଜିନିୟର ସଂହାରକରୀ କରୋନା ଭାଇରସ୍‌ର ଭୟରେ ସଂପ୍ରତି ଜାପାନର ୟୋକୋହମା ଉପକୂଳରେ ଡାଇମଣ୍ଡ ପ୍ରିନ୍‌ସେସ୍‌ କ୍ରୁଜ୍‌ (ଜଳଜାହାଜ)ମଧ୍ୟରେ ଦୀର୍ଘ ଦୁଇ ସପ୍ତାହରୁ ଉର୍ଦ୍ଧ୍ୱ କାଳଧରି ବନ୍ଦୀ ହୋଇରହିବା ପରେ ଏବେ ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିବା ଘଟଣା ଆଜି ଚର୍ଚ୍ଚାର ଚିଷୟ ପାଲଟିଛି।

ଓଡ଼ିଆ ଇଞ୍ଜିିନିୟର ତଥା ବ୍ରହ୍ମପୁରର ବାସିନ୍ଦା ଶିବାଶିଷ ନାୟକ କରୋନା ଭୟରେ ବିଗତ ୧୫ ଦିନ ହେବ ଏହି କ୍ରୁଜ୍‌ ମଧ୍ୟରେ ମଝି ସମୁଦ୍ରରେ ଫଶି ରହିଛନ୍ତି। ତାଙ୍କ ସହ ଆହୁରି ଅନ୍ୟ ୧୪୨ ଜଣ ଭାରତୀୟ ଏହି ଜାହାଜରେ ମୁକ୍ତି ଅପେକ୍ଷାରେ ଦିନ ଗଣୁଛନ୍ତି। ଶିବାଶିଷଙ୍କ କରୋନା ଭାଇରସ୍‌ ଜନିତ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ତଥାପି ଜାପାନ ସରକାର ବାରମ୍ବାର ନିଷ୍ପତ୍ତି ବଦଳାଉ ଥିବା କାରଣରୁ ଜାହାଜରେ ଫସିରହିଥିବା ଯାତ୍ରୀମାନେ କେବେ ସମୁଦ୍ର ମଧ୍ୟରୁ କୂଳକୁ ଫେରିବେ ସେଥିନେଇ ଅନିଶ୍ଚିତତା ଦେଖାଦେଇଛି।

ଶିବାଶିଷ ନାୟକ

ଶିବାଶିଷ ଗୁରଗାଓଁ ଠାରେ ହ୍ୟୁଗସ ସାଇସଟେକ ପ୍ରାଇଭେଟ ଲିମିଟେଡ କମ୍ପାନିରେ ଜଣେ ସଫ୍‌ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ। କମ୍ପାନି କାର୍ଯ୍ୟରେ ଶିବାଶିଷ ଓ ତାଙ୍କର ଅନ୍ୟ ୫ ଜଣ ସହଯୋଗୀ ଗତ ଜାନୁଆରି ୧୦ ତାରିଖରୁ ନୂଆଦିଲ୍ଲୀରୁ ବାହାରି ମାଲେସିଆ ପହଞ୍ଚିଥିଲେ। ପରେ ସେଠାରୁ ଜାହାଜରେ ଯାତ୍ରା ଆରମ୍ଭ କରିଥିଲେ। ସେ ଯାତ୍ରା କରୁଥିବା ଜାହାଜରେ ୩୭୦୦ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ତାଙ୍କୁ ଜାନୁଆରି ୨୫ ତାରିଖରେ ହଂକଂରେ ଜାହାଜରୁ ଓହ୍ଲାଇ ଦିଆଯାଇଥିଲା। ଏବେ ଜାହାଜରେ ଥିବା ୫୪୫ ଜଣଙ୍କ ଶରୀରରେ କରୋନା ଭାଇରସ୍‌ ପଜିଟିଭ୍‌ ଥିବା ଜଣାପଡିଛି।

ଏମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟଙ୍କ ଶରୀରରେ ମଧ୍ୟ କରୋନା ଭାଇରସ୍‌ ଚିହ୍ନଟ ହୋଇଛି। ଏଥିପାଇଁ ଜାପାନ ସରକାର ଏହି ଜାହାଜରେ ଥିବା ଯାତ୍ରୀଙ୍କୁ ଦେଶ ଭିତରକୁ ପଶିବାକୁ ବାରଣ କରିଛନ୍ତି। ଏଭଳି ପରିସ୍ଥିତିରେ ଜାହାଜରେ ଥିବା ଭାରତୀୟମାନଙ୍କ ଉଦ୍ଧାର ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। କିନ୍ତୁ ଏଯାଏଁ ସେମାନଙ୍କୁ ଉଦ୍ଧାର ପାଇଁ ସେଭଳି ତତ୍ପରତା ପ୍ରକାଶ ପାଇ ନାହିଁ। ଏଭଳି ସ୍ଥିତିରେ ଜାହାଜରେ ଥିବା ଓଡ଼ିଆ ଯୁବକ ଶିବାଶିଷ ଏକ ଭିଡ଼ିଓ ମେସେଜରେ ସେମାନଙ୍କୁ ଜାହାଜ ମଧ୍ୟରୁ ଉଦ୍ଧାର କରିବାକୁ ଉଭୟ ରାଜ୍ୟ ଓ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର