ବାଂଲାଦେଶରୁ ଫେରିବା ପରେ ବିମାନବନ୍ଦରରେ କ୍ବାରେଣ୍ଟାଇନକୁ ଯିବା ପାଇଁ କୁହାଯିବାରୁ ଭଙ୍ଗାରୁଜା କଲେ ୧୬୦ ଛାତ୍ର

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାଭାଇରସ ସହ ସାରା ବିଶ୍ବ ଲଢ଼ୁଛି। ଲୋକ ସଂକ୍ରମଣର ଶିକାର ନ ହେବା ପାଇଁ ଏବେ ସତର୍କ ହେଉଥିବା ବେଳେ ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯିବା ସହ ବିଦେଶରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି। ତେବେ ଜମ୍ମୁ-କଶ୍ମୀରର ଶ୍ରୀନଗର ବିମାନବନ୍ଦରରେ କ୍ବାରେଣ୍ଟାଇନରେ ରହିବାକୁ ନେଇ ୧୬୦ଜଣ ଛାତ୍ର ଭଙ୍ଗାରୁଜା କରିଥିବା ଖବର ମିଳିଛି। ବିମାନବନ୍ଦରରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ କୁହାଯିବା ପରେ ଯିବାକୁ ମନା କରିବା ସହ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ପରେ ପୁଲିସ ଆସି ସମସ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟର ନିଆଯାଇଥିବା ଜଣାପଡ଼ିଛି।

Image result for airport crowed
WABE 90.1

ପୁୁଲିସର କହିବା ମୁତାବକ, ଗୁୁରୁବାର ବାଂଲାଦେଶରୁ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୬୦ଜଣ ଛାତ୍ର ପହଞ୍ଚିଥିଲେ। ବୁଦ୍ଧଗାମ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସିଥିବା ଛାତ୍ରମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ଯିବା ପାଇଁ କୁହାଯାଇଥିଲା। ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଡାକ୍ତରୀ କର୍ତ୍ତୃପକ୍ଷ ଏହି ଛାତ୍ରମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ରାଜି ହୋଇନଥିଲେ ଏବଂ ବିମାନବନ୍ଦରରେ ଲାଗିଥିବା କାଚର ଝରକାକୁ ଭାଙ୍ଗିବା ଆରମ୍ଭ କରିଦେଇଥିଲେ। ଏଥି ସହିତ ଏହି ଛାତ୍ରମାନଙ୍କ ପିତା-ମାତା ମଧ୍ୟ ବିମାନବନ୍ଦରର ଆଗମନ ଟର୍ମିନାଲ ବାହାରେ ରହି ବିରୋଧ କରିବା ଆରମ୍ଭ କରିଥିଲେ। ପରିସ୍ଥିତି ଅଣାୟତ ହେବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସକୁ ଏହି ସମସ୍ୟାର ସମାଧାନ ପାଇଁ ଡ଼ାକିଥିଲେ। ପୁଲିସ ଟିମ୍ ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଭଙ୍ଗାରୁଜା ଜାରି ରଖିଥିଲେ। କିଛି ସମୟରେ ପରିସ୍ଥିତିକୁ ଆୟତ୍ତକୁ ଅଣାଯାଇ ସମସ୍ତ ଛାତ୍ରଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର