କରୋନାଭାଇରସ୍ ମହାମାରୀ: ମୃତ୍ୟୁଦଣ୍ଡ ପାଇପାରନ୍ତି ସାଉଦି ଆରବ ମଲରେ ଛେପ ପକାଇଥିବା ବ୍ୟକ୍ତି

କାଇରୋ: ସାଉଦି ଆରବର ଏକ ସପିଙ୍ଗ୍ ମଲର ଟ୍ରଲି ଉପରେ ଛେପ ପକାଇ ଗିରଫ ହୋଇଥିବା ଅଜ୍ଞାତ ବ୍ୟକ୍ତିଜଣକ ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପାଇ ପାରନ୍ତି । ବିଚାର ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଏ କଥା ପ୍ରକାଶ କରିଛି “ଗଲଫ୍ ନିଉଜ୍’ ।

ଉତ୍ତର-ପଶ୍ଚିମ ସାଉଦୀ ଆରବର ହୈଲ୍ ଅଞ୍ଚଳରେ ଥିବା ଏକ ମଲର ଟ୍ରଲିରେ ଛେପ ପକାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ସମ୍ପ୍ରତି ସାଉଦି ରାଜତନ୍ତ୍ର କରୋନାଭାଇରସ୍ ସହ ସଂଗ୍ରାମ ଚଳାଉଥିବା ବେଳେ ଏହି ଘଟଣା ଘଟିଛି । ଗିରଫ ହେବାର କିଛି ସମୟ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୂରରୁ ଥାଇ କିଛି ପଚରା ଉଚୁରା କରାଯାଇଛି । କିନ୍ତୁ, ସେ ଛେପ ପକାଇବାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ ।

Image Source: Al Jazeera

ବିଚାର ବିଭାଗୀୟ ସୂତ୍ରକୁ ଉଦ୍ଧାର କରି ଉପରୋକ୍ତ ଗଣମାଧ୍ୟମ ଲେଖିଛି ଯେ ତାଙ୍କ ଅପକର୍ମ ଧର୍ତ୍ତବ୍ୟ ଅପରାଧଭୁକ୍ତ । ଏତାଦୃଶ ଆଚରଣ ଉଭୟ ଧାର୍ମିକ ଏବଂ ଆଇନଗତ ଦୃଷ୍ଟିରୁ ଦୋଷାବହ । ଜାଣିଶୁଣି ସମାଜରେ କରୋନାଭାଇରସ୍ ସଂକ୍ରମଣ କରାଇ ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହା ଏକ ଦୁର୍ନୀତି ବୋଲି ବିବେଚନା କରାଯାଉଛି । ଏହି ଅପକର୍ମ ପାଇଁ ତାଙ୍କ ପ୍ରତି ମୃତ୍ୟୁଦଣ୍ଡ ବିଧାନ ହୋଇପାରେ ।

Image Source: Zee News

ସଂଗୃହୀତ ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ସାଉଦି ଆରବରେ ୯୦୦ ଜଣ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । କରୋନାଭାଇରସ୍ ଦମନ ପାଇଁ ସାଉଦି ଆରବ ରାଜତନ୍ତ୍ର ଅନେକ ପଦକ୍ଷେପ ଗ୍ରହଣ କରିଛି ।

ସମ୍ବନ୍ଧିତ ଖବର