କୋଭିଡ୍‌-୧୯ରୁ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ବିଗ୍‌ ବି ଅମିତାଭଙ୍କ ସମେତ ପୁତ୍ର ଅଭିଷେକ ଓ ପୁତ୍ରବଧୂ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ: ନାଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମିତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଗ୍‌ ବି’ ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ଡାକ୍ତରଖାନା ସୂତ୍ରରୁ ଜାଣିବା ପାଇଁ ମିଳିଛି। ସେମାନେ ସମସ୍ତେ ଠିକ ଅଛନ୍ତି। ଏବେ ସେମାନେ ସମସ୍ତେ ଆଇସୋଲେସନ ୱାର୍ଡ ବା ପୃଥକବାସରେ ଅଛନ୍ତି। ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ହୁଏତ ଦିନେ କିମ୍ବା ଦୁଇ ଦିନ ଡାକ୍ତରଖାନାରେ ରହିବେ ବୋଲି ଜଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ବଚ୍ଚନ ନିବାସ ଜାଲସାରେ ପ୍ରଥମ ବିଗ୍‌ ବି ଅମିତାଭ ଓ ଅଭିଷେକଙ୍କୁ କରୋନା ପଜିଟିଭ୍‌ ରୂପେ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଭିଷେକଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନା ପଜିଟିଭ୍‌ ରୂପେ ଚିହ୍ନଟ ହୋଇ ଗତ ଶୁକ୍ରବାର ନାନାବତୀ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ଏହି ଘଟଣା ପରେ ଜାଲସା ସମେତ ବିଗ୍‌ ବି’ଙ୍କ ମାଲିକାନାରେ ଥିବା ଅନ୍ୟ ତିନିଟି ବଙ୍ଗଳାକୁ ସିଲ୍‌ କରାଯାଇଥିଲା।

ନାନାବତୀ ହସ୍ପିଟାଲର ଆଇସୋଲେସନ୍‌ ଓ୍ଵାର୍ଡରେ ଚିକିତ୍ସାଧୀନ ଥିବା ସମୟରେ, ବିଗ୍‌ ବି ଟୁଇଟରରେ ବେଶ୍‌ ସକ୍ରିୟ ରହିଥିଲେ। ସେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଶୁକ୍ରବାର ରାତିରେ, ବିଗ୍‌ ବି ଏକ ଟୁଇଟ୍‌ ସେୟାର କରି ଲେଖିଛନ୍ତି, ଖୁସି ସମୟରେ, ଅସୁସ୍ଥତା ସମୟରେ, ଆପଣ ଆମର ନିକଟତମ ତଥା ପ୍ରିୟ। ଆମର ଶୁଭେଚ୍ଛୁ, ଆମର ପ୍ରଶଂସକମାନେ ଆମକୁ ଦେଇଥିବା ଅବିସ୍ମରଣୀୟ ପ୍ରେମ, ସ୍ନେହ, ଯତ୍ନ ଏବଂ ପ୍ରାର୍ଥନା .. ଆମେ ସମସ୍ତଙ୍କୁ ଆମର ଅଶେଷ କୃତଜ୍ଞତା ଜଣାଉଛୁ ..

ଗତ ସପ୍ତାହରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ଘୋଷଣା କରିଥିଲେ ଯେ ସେମାନେ କୋଭିଡ୍‌-୧୯ ପାଇଁ ହୋଇଥିବା ପରୀକ୍ଷାରେ ପଜିଟିଭ୍‌ ବାହାରିଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି। କିଛି ଦିନ ପରେ ଅଭିଷେକ ଘୋଷଣା କରିଥିଲେ ଯେ ତାଙ୍କ ପତ୍ନୀ ଏବଂ ଆଠ ବର୍ଷର କନ୍ୟା ଆରାଧ୍ୟା ମଧ୍ୟ ପଜିଟିଭ୍‌ ବାହାରିଛନ୍ତି।

ସମ୍ବନ୍ଧିତ ଖବର