ଇଟାଲିରୁ ଆସିଥିବା ପର୍ଯ୍ୟଟକଙ୍କ ଶରୀରରେ କରୋନା ଲକ୍ଷଣ; ଜୟପୁରରେ ଡାକ୍ତରଖାନାରେ ଭର୍ତ୍ତି

ବେଙ୍ଗାଲୁରୁ : ଧୀରେ ଧୀରେ ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଚି । ଆଜି ଜଣେ ଦିଲ୍ଲୀରୁ ଓ ଅନ୍ୟ ଜଣେ ବେଙ୍ଗାଲୁରୁରୁ କରୋନା ଭାଇରସ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏଥିସହ ରାଜସ୍ଥାନରେ ଜଣେ ଇଟାଲି ନାକରିକ କରୋନା ଭାଇରସ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ତେଲେଙ୍ଗାନାର ଜଣେ ଯୁବକ କରୋନା ଦ୍ବାରା ଆକ୍ରାନ୍ତ ବୋଲି ଜାଣିବାକୁ ମିଳିଛି। ଯୁବକଙ୍କ ରକ୍ତ ନମୂନା ପରୀକ୍ଷା ହେବା ପରେ କରୋନା ଭାଇରସ୍‌ ପଜିଟିଭ୍‌ ଥିବା ରିପୋର୍ଟ ଆସିଛି। ତେଲେଙ୍ଗାନାରେ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ଯୁବକ ଜଣକ ହେଉଛନ୍ତି ଜଣେ ଇଞ୍ଜିନିୟର ଓ ସେ ବେଙ୍ଗାଲୁରୁରେ ଚାକିରି କରନ୍ତି। ସେ ନିକଟରେ ଦୁବାଇରୁ ଫେରିଥିବା ସୂଚନା ମିଳିଛି।

ସେହିପରି ଦିଲ୍ଲୀରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଇଟାଲି ଫେରନ୍ତା ଏହି  ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ପୃଥକ ଭାବେ ରଖାଯାଇଛି। ମଙ୍ଗଳବାର ଏହି  ଦୁଇ ଜଣଙ୍କ ଭିତରେ କରୋନା ଭାଇରସ୍‌କୁ ଚିହ୍ନଟ କରାଯାଇଛି। 

India TV

କେବଳ ସେତିକି ନୁହେଁ, ଇଟାଲିରୁ ଫେରିଥିବା ଜଣେ ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଏହି ଭୟଙ୍କର ଭାଇରସ୍‌ର ଲକ୍ଷଣ ଦେଖା ଦେଇଛି। କରୋନା ଭାଇରସ୍‌ର ଲକ୍ଷଣ ଦେଖାଯିବା ପରେ ଇଟାଲିରୁ ଫେରିଥିବା  ଯାତ୍ରୀଙ୍କୁ ଜୟପୁରର ଏସ୍‌ଏମ୍‌ଏସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ପରୀକ୍ଷା କରାଯିବା ପରେ ଯାଇ ସେ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସ୍ପଷ୍ଟ ହେବ। ତାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏସ୍‌ଏମ୍‌ଏସ୍‌‌ ଡାକ୍ତରଖାନା ଲାବ୍ରଟୋରିରେ ପରୀକ୍ଷା କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ସଂପୂର୍ଣ୍ଣ ସୂଚନା ଦିଆଯାଇଛି।

ଫେବ୍ରୁଆରି ୨୯ ତାରିଖରେ ଇଟାଲିରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଭିତରେ ବି କରୋନା ଲକ୍ଷଣ ଦେଖା ଦେଇଥିଲା। ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ପୃଥକ ୱାର୍ଡରେ ରଖାଯାଇଥିଲା। ତାଙ୍କ ପରୀକ୍ଷା କରାଯିବା ପରେ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ସମ୍ବନ୍ଧିତ ଖବର