ନୂଆଦିଲ୍ଲୀ : ଆଜି ଗୋଟିଏ ଦିନରେ ଦେଶରେ ୧୫୪୦ ଜଣ କରୋନା ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ଏହି ସମୟ ମଧ୍ୟରେ ୪୦ ଜଣ ପ୍ରାଣ ହରାଇଛନ୍ତି। ଏହାସହିତ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭,୬୫୬ରେ ପହଂଚିଥିବା ବେଳେ ମୃତ୍ୟୁସଂଖ୍ୟା ୫୫୯ରେ ପହଂଚିଛି। ୨୫୪୬ ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି। କରୋନା ମୃତ୍ୟୁହାର କମୁଥିଲେ ମଧ୍ୟ କିଛି ସ୍ଥାନରେ ପରିସ୍ଥିତି ଚିନ୍ତାଜକ ରହିଛି। ବିଶେଷ କରି ମୁମ୍ବାଇ, ପୁନେ, ଇନ୍ଦୋର, ଜୟପୁର ଏବଂ କୋଲକାତାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି।
ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ଯେ ଏପ୍ରିଲ ୧୯ ସୁଦ୍ଧା ଭାରତରେ ୭୩୬ ଜିଲ୍ଲାରୁ ୩୨୫ଟିରେ କୌଣସି ଗୋଟିଏ ମାମଲା ନାହିଁ। କିନ୍ତୁ ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ବାଇ, ପୁନେ, ରାଜସ୍ଥାନର ଜୟପୁର ଏବଂ ପଶ୍ଚିମବଙ୍ଗରେ କୋଲକାତା, ହାୱଡ଼ା, ପୂର୍ବ ମେଦିନୀପୁର, ଉତ୍ତର ୨୪ ପ୍ରଗଣା, ଦାର୍ଜିଲିଂ ଏବଂ ଜଲ୍ପାଇଗୁଡ଼ିରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରରେ ୪୨୦୩ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୨୨୩ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ମାମଲା ୧୪୦୭ ଥିବାବେଳେ ୭୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ରାଜସ୍ଥାନରେ ୧୪୭୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରେ ମାମଲା ୩୩୯ ଥିବାବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସରକାର ଏହି ସବୁ ସ୍ଥାନରେ ସିଧାସଳଖ ସ୍ଥିତି ଆକଳନ ପାଇଁ ୬ଟି ଆଇଏମ୍ସିଟିଏସ୍ (ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ) ଗଠନ କରିଛନ୍ତି ଏବଂ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ପଶ୍ଚିମବଙ୍ଗକୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ଟିମ୍ କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।
ଲକ୍ଡାଉନ୍ ନିୟମର ଉଲ୍ଲଂଘନ ଦ୍ବାରା କରୋନା ଭାଇରସ୍ ବ୍ୟାପିବାର ଭୟ ଅଧିକ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ରାଜ୍ୟ ସରକାରମାନଙ୍କ ସହ ଯୋଗାଯୋଗ କରି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କୋଭିଡ୍-୧୯ ମୁକାବିଲା ଦିଗରେ ସମ୍ମୁଖ ଭାଗରେ ରହି ଲଢ଼ୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ହିଂସା ବଢ଼ି ଚାଲିଛି। ଏହା ତୁରନ୍ତ ବନ୍ଦ ହେବା ଉଚିତ୍ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଇତିମଧ୍ୟରେ ଦୁଇଟି କେନ୍ଦ୍ରୀୟ ଟିମ୍ ପଶ୍ଚିମ ବଙ୍ଗରେ ପହଂଚିଛି। କିନ୍ତୁ କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରି କହିଛନ୍ତି ଯେ ଏହା ସଂଘୀୟ ବ୍ୟବସ୍ଥାର ବିରୋଧାଚରଣ କରୁଛି।
ସେପଟେ କେନ୍ଦ୍ର ସରକାରଙ୍କର ତାଗିଦ ପରେ କେରଳ ସରକାର ଲକ୍ ଡାଉନ୍ କୋହଳ କରି ଯେଉଁ ଆଦେଶ ଜାରି କରିଥିଲେ ତାହାକୁ ପ୍ରତ୍ୟାହର କରିନେଇଛନ୍ତି। ରାଜ୍ୟରେ ଆଜି ଠାରୁ ସେଲୁନ୍ ଖୋଲିବା ସହିତ ରେସ୍ତୋରାଁ ଏବଂ ବହି ଦୋକାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/co.jpg)