ଦିଲ୍ଲୀରେ ବଢ଼ିଲା କଟକଣା: ଶାହିନ୍‌ ବାଗ୍‌ ଆନ୍ଦୋଳନକାରୀଙ୍କୁ ମାନିବାକୁ ପଡ଼ିବ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦିଲ୍ଲୀରେ ସାମାଜିକ, ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟକ୍ରମ ନିଷିଦ୍ଧ କରିବାପାଇଁ ଏବଂ କୌଣସି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ଏକଜୁଟ୍‌ ନହେବା ପାଇଁ ଦିଲ୍ଲୀରେ ୧୮୯୭ ମହାମାରୀ ନିୟନ୍ତ୍ରଣ ଆଇନ ଲାଗୁ କରିଛନ୍ତି। ବର୍ତ୍ତମାନ ପାଇଁ ଦିଲ୍ଲୀରେ ବିବାହ କାର୍ଯ୍ୟକୁ ଅନୁମତି ମିଳିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ବର୍ତ୍ତମାନ ସ୍ଥିତିରେ ଯଥା ସମ୍ଭବ ବିବାହ କାର୍ଯ୍ୟ ସମ୍ପାଦନ ନକରିବାପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀରେ ପୂର୍ବରୁ ସ୍କୁଲ୍‌ , କଲେଜ୍‌, ସ୍ବିମିଂ ପୁଲ୍‌ ବନ୍ଦ ହୋଇଥିବାବେଳେ ଆଜି ଜିମ୍‌, ନାଇଟ୍‌ କ୍ଲବ୍‌ ଏବଂ ସ୍ପା ବନ୍ଦ ହୋଇଛି। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୭ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ୭ ଜଣଙ୍କ ମଧ୍ୟରୁ ୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଜଣଙ୍କର ଗତ ସପ୍ତାହରେ କରୋନା‌ରେ ମୃତ୍ୟୁ ହୋଇଛି। କେଜ୍ରିୱାଲ୍‌ କହିଛନ୍ତି କୌଣସି ସ୍ଥାନରେ ୫୦ରୁ ଅଧିକ ଲୋକ ଏକଜୁଟ୍‌ ହୋଇପାରିବେନି ବୋଲି ଯେଉଁ କଟକଣା ଲାଗିଛି ‌ସେହି କଟକଣାକୁ ଶାହିନ ବାଗ୍‌ ଆନ୍ଦୋଳନକାରୀଙ୍କୁ ବି ମାନିବାକୁ ପଡ଼ିବ।

ସମ୍ବନ୍ଧିତ ଖବର