‌କରୋନା ଚିନ୍ତା ଘାରିଲା : ଦେଶରେ ୨୯, ବିଦେଶରେ ୧୭ ଭାରତୀୟ ଆକ୍ରାନ୍ତ

୨୫ଶହଙ୍କ ପାଇଁ କ୍ୟାରେଣ୍ଟାଇନ୍‌ ବ୍ୟବସ୍ଥା
ସବୁ ଜିଲ୍ଲାରେ ପ୍ରସ୍ତୁତି ପାଇଁ ମୋଦୀଙ୍କ ନିର୍ଦେଶ
ସମ୍ମିଳନୀ, ହୋଲି ମିଳନ ବାତିଲ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ ଏବେ ବଡ଼ ବିପଦ ହୋଇ ଦେଖାଦେଲାଣି। ଏ ପର୍ଯ୍ୟନ୍ତ ଦେଶରେ ୨୯ ଜଣ କରୋନା ସଂକ୍ରମିତ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେରଳର ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଦେଶରେ ଥିବା ୨୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଇଟାଲିର ୧୬ ଜଣ ପର୍ଯ୍ୟଟକ ଅଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ଦିଲ୍ଲୀର କରୋନା ଆକ୍ରାନ୍ତଙ୍କ ସହିତ ସଂପର୍କରେ ଆସିବା ଯୋଗୁଁ ଆଗ୍ରାରେ ରହୁଥିବା ତାଙ୍କ ପରିବାରର ୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଇଟାଲିରୁ ଭାରତ ଭ୍ରମଣରେ ଆସିଥିବା ଏକ ଗୋଷ୍ଠୀର ୧୬ ଜଣ କରୋନା ଆକ୍ରାନ୍ତ ହୋଇଥିବାରୁ ସେମାନେ ରହୁଥିବା ହୋଟେଲ ଏବଂ ଅ‌ନ୍ୟ କେତେକ ସ୍ଥାନରେ ଏବେ ଯାଞ୍ଚ ଚାଲିଛି। ସେମାନଙ୍କୁ ସହାୟତା କରୁଥିବା ଜଣେ ଡ୍ରାଇଭର୍‌ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୬୮ ଜଣଙ୍କୁ ଠାବ କରାଯାଇଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି। କରୋନା ଆକ୍ରାନ୍ତ ହୋଇଥିବା ୧୪ ଜଣ ଇଟାଲି ନାଗରିକଙ୍କୁ ଏବେ ଦିଲ୍ଲୀ ଆଇଟିବିପିର ସ୍ବତନ୍ତ୍ର କ୍ବାରେଣ୍ଟାଇନ୍‌ ଶିବିରରେ ରଖାଯାଇଛି। ଗୁରୁଗ୍ରାମସ୍ଥିତ ପେଟିଏମ୍‌ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଆଜି ସନ୍ଧ୍ୟା‌ରେ ଜଣାପଡ଼ିଛି। ଏହି କର୍ମଚାରୀଜଣକ ନିକଟରେ ଇଟାଲିରୁ ଫେରିଥିଲେ। ଅନ୍ୟପକ୍ଷରେ ନଏଡାରେ ଆଜି ଏକ ହଜାର କମ୍ପାନିଙ୍କୁ ସରକାର କରୋନା ସତର୍କତା ନେଇ ନୋଟିସ୍‌ ଜାରି କରିଛନ୍ତି।

ଦେଶରେ କରୋନା ବ୍ୟାପୁଥିବାରୁ ସତର୍କତା ପଦକ୍ଷେପ ସ୍ବରୂପ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ପାରମ୍ପରିକ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି।

କରୋନା ମୁକାବିଲା ପାଇଁ ସରକାର ଆଜି କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ବିଦେଶୀ ବିମାନର ଯାତ୍ରୀମାନଙ୍କର ସ୍କ୍ରିନିଂ କରାଯିବାକୁ ଆଲର୍ଟ ଜାରି କରାଯାଇଛି। ପୂର୍ବରୁ କେବଳ ୧୨ଟି ଦେଶର ଯାତ୍ରୀମାନଙ୍କର ହିଁ ଏୟାର୍‌ପୋର୍ଟରେ ସ୍କ୍ରିନିଂ ହେଉଥିଲା। ଏ ପର୍ଯ୍ୟନ୍ତ ଦେଶର ୨୧ଟି ବିମାନ ବନ୍ଦରରେ ୬ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇଛି। ବିଦେଶରେ ଏ ପର୍ଯ୍ୟନ୍ତ ୧୭ ଜଣ ଭାରତୀୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ବୋଲି ଆଜି ଲୋକସଭାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ସାଂପ୍ରତିକ ସ୍ଥିତି ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ଦେଶର ସମସ୍ତ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ. ମିଶ୍ର ମଧ୍ୟ କରୋନା ମୁକାବିଲା ଦିଗରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀକୁ ବିଦେଶରୁ ଆସିଥିବା ୧୩୨୪ ଲୋକଙ୍କ ଦେହରେ କିଛି ଲକ୍ଷଣ ଦେଖାଯାଇଥିବାରୁ ସେମାନଙ୍କର ଯାଞ୍ଚ ଚାଲିଛି। ସରକାର ୨୫ ଶହ ଲୋକଙ୍କ ପାଇଁ କ୍ୟାରେଣ୍ଟାଇନ୍‌ ବ୍ୟବସ୍ଥା ପ୍ରସ୍ତୁତ ରଖିବା ପାଇଁ ସ୍ଥଳସେନା, ବାୟୁସେନା ଏବଂ ନୌସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ୨୫ଟି ହସ୍ପିଟାଲକୁ କରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସମସ୍ତ ଚିକିତ୍ସା ଉପକରଣ ମହଜୁଦ୍‌ ରଖାଯାଉଛି। କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ନାଗରିକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସୁରକ୍ଷା ସତର୍କତା ଜାରି କରିଛନ୍ତି। ଜନସାଧାରଣ କରୋନାକୁ ନେଇ ଆତଙ୍କିତ ନହୋଇ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି। ବିଭିନ୍ନ ସମାବେଶରେ ଲୋକଙ୍କ ଭିଡ଼ ଯୋଗୁଁ କରୋନା ବ୍ୟାପିବା ଆଶଙ୍କା ଥିବାରୁ ଏ ଦିଗରେ ମଧ୍ୟ ସତର୍କ ରହିବାକୁ ଗୁରୁତ୍ବାରୋପ କରାଯାଇଛି।

ସମ୍ବନ୍ଧିତ ଖବର