ବିଶ୍ବବ୍ୟାପୀ ୧ ଲକ୍ଷ ୧୧ ହଜାର ମୃତ
ସ୍ପେନ୍ରେ ୨୪ଘଣ୍ଟାରେ ୬୧୯ ମୃତ
ବିଶ୍ବରେ ୨୨ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ
ନ୍ୟୁୟର୍କ : ଆମେରିକାରେ କରୋନା ଭାଇରସ୍ର ସବୁଠାରୁ ଅଧିକ ପ୍ରକୋପ ଦେଖିବାକୁ ମିଳିଛି। ଆଜି ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୨୧ ହଜାର ଅତିକ୍ରମ କରିଛି ଏବଂ ଏହା ଇଟାଲିକୁ ମଧ୍ୟ ଟପି ଯାଇଛି। ବିଶ୍ବବ୍ୟାପୀ ଏ ପର୍ଯ୍ୟନ୍ତ ୧ ଲକ୍ଷ ୧୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସର୍ବାଧିକ ମୃତ୍ୟୁ ଆମେରିକାରେ ଘଟିଛି ଏବଂ ନ୍ୟୁୟର୍କ ସହର ମଧ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭାରତ କରୋନାର ସମ୍ଭାବ୍ୟ ଚିକିତ୍ସା ପାଇଁ ପଠାଇଥିବା ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଆମେରିକାରେ ପହଞ୍ଚିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅନୁରୋଧ ପରେ ଭାରତ ଏହି ଔଷଧ ପଠାଇଛି। ଆମେରିକାରେ ଏବେ ୫ ଲକ୍ଷ ୪୦ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ଥିବା ବେଳେ ଇଟାଲିରେ ୧ ଲକ୍ଷ ୫୨ ହଜାର ଏବଂ ଜର୍ମାନୀରେ ୧ ଲକ୍ଷ ୨୫ ହଜାର ଆକ୍ରାନ୍ତ ଅଛନ୍ତି। ଫ୍ରାନ୍ସରେ ୯୪ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।
ଇଟାଲିରେ ମୃତ୍ୟୁ ସଂଖ୍ୟା ୧୯ ହଜାର ୫୬୮ ଥିବା ବେଳେ ସ୍ପେନ୍ରେ ପ୍ରାୟ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା ୧୪ ହଜାରରେ ପହଞ୍ଚିଥିବା ବେଳେ ଜର୍ମାନୀରେ ୨୮୭୮ ଲୋକଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ୍ରେ ୭୯ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯ ହଜାର ୯ ଶହ ଲୋକ ପ୍ରାଣ ହରାଇଛନ୍ତି। ଆମେରିକାରେ ୨୪ ଘଣ୍ଟାରେ ୧୯୨୦ ଲୋକଙ୍କ ମୃତ୍ୟୁ ଘଟିଛି। ଏଠାରେ କରୋନାର ଏପିସେଣ୍ଟର ପାଲଟିଥିବା ନ୍ୟୁୟର୍କ ସହରରେ ୧ ଲକ୍ଷ ୮୨ ହଜାର ଆକ୍ରାନ୍ତ ହୋଇଛନ୍ତି। ନ୍ୟୁୟର୍କରେ ୮ ହଜାର ୭ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆମେରିକାରେ ଘଟିଥିବା ମୋଟ ମୃତ୍ୟୁର ଏହା ୪୨ ପ୍ରତିଶତ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ୫୨ଟି ରାଷ୍ଟ୍ର ଏବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ଏବଂ ଏହି ରାଷ୍ଟ୍ରମାନଙ୍କରେ ମୋଟ ୨୨ ହଜାର ୭୩ ଜଣ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି।