ରାମଦେବଙ୍କ ‘କରୋନିଲ୍‌’କୁ ବୈଜ୍ଞାନିକ ପଦ୍ଧତି ଅନୁସରଣ କରିବାକୁ ହେବ

ନୂଆଦିଲ୍ଲୀ : ମହାମାରୀ କୋଭିଡ୍-୧୯ର ଉପଶମ ଲାଗି ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କମ୍ପାନି ଦ୍ବାରା ପ୍ରସ୍ତୁତ ‘କରୋନିଲ୍‌’ ବଟିକା ସମ୍ପୂର୍ଣ୍ଣ ଆରୋଗ୍ୟ କରିଦେବ ବୋଲି ମଙ୍ଗଳବାର ସେ କରିଥିବା ଦାବି ଦେଶ ବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ନିୟନ୍ତ୍ରିତ ନୈଦାନିକ ପରୀକ୍ଷଣ ପରେ ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି ବାବା ସୂଚନା ଦେଇଥିଲେ। ତେବେ ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଏହି ରୋଗର ମୁକାବିଲା ପାଇଁ ସମଗ୍ର ଚିକିତ୍ସାବିଜ୍ଞାନୀ ସମୁଦାୟ ଓ ଭେଷଜ ବିଶେଷଜ୍ଞ ଏଯାଏ ଏକ ପ୍ରମାଣସିଦ୍ଧ ଉପଶମ ପଦ୍ଧତି ନିର୍ଣ୍ଣୟ କରିପାରିନଥିଲା ବେଳେ ପତଞ୍ଜଳି ସଂସ୍ଥା କିପରି ତାହା ଏତେ ଶୀଘ୍ର ସଂପନ୍ନ କରିପାରିଲା ବୋଲି ଅନେକ ଉତ୍ସାହିତ ହୋଇ ନେଟ୍‌ରେ ଅନୁସନ୍ଧାନ କରିବାରେ ଲାଗି ପଡ଼ିଥିଲେ। ସଂସ୍ଥା ପକ୍ଷରୁ ମଧ୍ୟ ତୁରନ୍ତ ସଂପୃକ୍ତ ଔଷଧର ଫଟୋ ଛାଡ଼ି ଏହା ଅଶ୍ବଗନ୍ଧା, ଗିଲୟ ଓ ତୁଳସୀ ପରି ଉପାଦାନରେ ପ୍ରସ୍ତୁତ ବୋଲି ସ୍ପଷ୍ଟ କରାଯାଇଥିଲା। ମାତ୍ର ଏହା ଆୟୁଷ ମନ୍ତ୍ରଣାଳୟକୁ ସନ୍ତୁଷ୍ଟ କରିପାରିନଥିଲା। ମନ୍ତ୍ରଣାଳୟ ପକ୍ଷରୁ ତତ୍କାଳ ପତଞ୍ଜଳି ସଂସ୍ଥାକୁ ତାଗିଦ କରି ଏପରି ବିଜ୍ଞାପନରେ ଲୋକଙ୍କୁ ବାଟବଣା ନକରିବା ପାଇଁ ସତର୍କ କରାଯିବା ସହ ଦାବି ମୁତାବକ ଏହାର ଫଳାଫଳର ପ୍ରମାଣ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା।

ଏକ ଭାରତୀୟ ଅନୁଶୀଳନ ଅନୁଯାୟୀ, ଏକ ଔଷଧୀୟ ବୃକ୍ଷରୁ ଉଦ୍ଧୃତ ଶସ୍ତା ମ୍ୟାଲେରିଆ ଔଷଧ ‘ହାଇଡ୍ରକ୍ସିକ୍ଲୋରୋକ୍ବିନ୍’ ହେଉଛି ଏକ ରୋଗପ୍ରତିରୋଧକାରୀ। ସେହିପରି ଏକ ଆମେରିକୀୟ ଅନୁଧ୍ୟାନ ଅନୁଯାୟୀ, ଜିଲିଆଡ୍‌ କମ୍ପାନି ପ୍ରସ୍ତୁତ ‘ରେମ୍‌ଡେସିଭିର୍‌’କୁ ମଧ୍ୟ ଗୁରୁତର କୋଭିଡ୍‌ ରୋଗୀଙ୍କଠାରେ ଉପଯୋଗ କଲେ ସୁଫଳ ଦେଉଛି। ଅନ୍ୟପକ୍ଷରେ, ଭେଣ୍ଟିଲେଟର ସହାୟତାରେ ରହିଥିବା ଗୁରୁତର କୋଭିଡ୍‌ ରୋଗୀଙ୍କ ପାଇଁ ଶକ୍ତିବର୍ଦ୍ଧକ ‘ଡେକ୍ସାମିଥୋଜୋନ୍‌’ ମଧ୍ୟ ଭଲ କାମ କରୁଛି। ମାତ୍ର ରାମଦେବଙ୍କ ‘କରୋନିଲ୍‌’ ଏପରି ଫଳାଫଳ ଦେଉଛି ବୋଲି ଜାଣିବାକୁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ନୀତି ନିୟମ ପାଳନ କରିବାକୁ ହେବ। ଏ ପରିପ୍ରେକ୍ଷୀରେ ସରକାର ପତଞ୍ଜଳି ସଂସ୍ଥା ଠାରୁ ସଂପୃକ୍ତ ଔଷଧର ଉପାଦାନ, ଏହାର ପରୀକ୍ଷଣ ଓ ଗବେଷଣା କରାଯାଇଥିବା ଡାକ୍ରଖାନା ଓ ଅନୁଷ୍ଠାନ ଏବଂ ଔଷଧ ନମୁନାର ଆକାର ଆଦି ଯାବତୀୟ ବିବରଣୀ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର