ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ କର୍ପୋରେଟ ଆଇନ ସେବାର ୨୦୨୧ ଏବଂ ୨୦୨୨ ବ୍ୟାଚ୍ ପ୍ରୋବେସନରମାନେ ଭେଟିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ନୂଆ ଅଫିସରମାନଙ୍କୁ ସମ୍ବୋଧିତ କରିବାକୁ ଯାଇ କହିଥିଲେ, ଆପଣମାନେ କର୍ପୋରେଟ ଜଗତର ନିୟାମକ। ଦେଶରେ ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରର ବିକାଶ କାର୍ଯ୍ୟ ମଧ୍ୟ ଆପଣଙ୍କ ଜରିଆରେ ସହଜ ହୋଇଥାଏ। ଗୋଟିଏ ପଟେ ଦେଶରେ ଶିଳ୍ପ ଓ ଔଦ୍ୟୋଗିକତାକୁ ପ୍ରୋତ୍ସାହନ ଦେବା ଏବଂ ଅନ୍ୟପଟେ ଉତ୍ତମ କର୍ପୋରେଟ୍ ଗଭର୍ଣ୍ଣାନ୍ସକୁ ଆପଣମାନେ ନିଶ୍ଚିତ କରିଥାନ୍ତି।
ତେଣୁ ଆପଣମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଥିଲେ। କମ୍ପାନିଗୁଡ଼ିକ ସେମାନଙ୍କ ଅଂଶଧନଧାରୀ ଏବଂ ଅନ୍ୟମାନଙ୍କ ସର୍ବୋତ୍କୃଷ୍ଟ ସ୍ବାର୍ଥରେ ଯେଭଳି ପରିଚାଳିତ ହେବେ ଆପଣମାନେ ନିଶ୍ଚିତ କରିବା ଆବଶ୍ୟକ। ଦେଶର ନାଗରିକମାନଙ୍କ ଦାୟିତ୍ବକୁ ଲକ୍ଷ୍ୟରେ ରଖି ଆପଣମାନେ କାର୍ଯ୍ୟ କରିବା ଉଚିତ। ଦେଶ ଏବଂ ଦେଶବାସୀଙ୍କୁ ସେବା ଯୋଗାଇବାର ମନୋଭାବ ମଧ୍ୟ ଆହରଣ କରିବାକୁ ରାଷ୍ଟ୍ରପତି ଏହି ଅବସରରେ ପରାମର୍ଶ ଦେଇଥିଲେ।