ଗୃହ ମନ୍ତ୍ରଣାଳୟର କର୍ପୋରେଟ୍ କାର୍ଯ୍ୟଶୈଳୀ: ସମସ୍ତ ବାହିନୀ ଓ ତଦନ୍ତ ସଂସ୍ଥା ଦୈନିକ କାମ ତାଲିକା ପଠାଉଛନ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ‌କର୍ପୋରେଟ୍ ଶୈଳୀ ସଂସ୍କୃତି ଆରମ୍ଭ ହୋଇଛି। ଏଥିପାଇଁ ସମସ୍ତ ବାହିନୀ ଓ ଏଜେନ୍ସିକୁ ଦୈନିକ ସଂପାଦନ କରିବାକୁ ଥିବା କାମ ତାଲିକା ମନ୍ତ୍ରଣାଳୟକୁ ଦେବାକୁ ପଡ଼ୁଛି। କିଛି ସପ୍ତାହ ହେଲା ଏହି କାର୍ଯ୍ୟଶୈଳୀ ଅବଲମ୍ବନ କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ମୁଖ୍ୟଙ୍କୁ ଦୈନିକ କାର୍ଯ୍ୟ ତାଲିକା ତାଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ଆଦେଶ ଦେଇଛନ୍ତି।

ପ୍ରତ୍ୟେକ ବାହିନୀ, ଏଜେନ୍ସି ଓ ପୁଲିସ (ଦିଲ୍ଲୀ ପୁଲିସ ସମେତ) ପ୍ରତିଦିନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେଦିନ କ’ଣ କ’ଣ କାମ କରିବାର ଅଛି ତା’ର ଏକ ତାଲିକା ପ୍ରସ୍ତୁତ କରି ପଠାଉଛନ୍ତି। ସମସ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମେତ ଗୃହ ମନ୍ତ୍ରଣାଳୟ ଅଧୀନ ସମସ୍ତ ଅର୍ଦ୍ଧସାମରିକ ବାହିନୀ ଯଥା ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌, ସିଆଇଏସ୍‌ଏଫ, ଏସ୍‌ଏସ୍‌ବି, ଆଇଟିବିପି ଏବଂ ଦିଲ୍ଲୀ ପୁଲିସ ପରି ସ୍ଥାନୀୟ ପୁଲିସ ସେମାନଙ୍କ ଦୈନିକ କାର୍ଯ୍ୟ ଯୋଜନା ଗୃହ ମନ୍ତ୍ରଣାଳୟକୁ ପଠାଇବାକୁ ବାଧ୍ୟ। ପ୍ରତ୍ୟେକ ବାହିନୀ ଓ ଏଜେନ୍ସି ସେମାନେ କରିବାକୁ ଯୋଜନା କରିଥିବା ଗୁରୁତ୍ବପୂର୍ଣ୍ଣ ୫ଟି କାର୍ଯ୍ୟ ବିଷୟରେ ସକାଳ ୯ଟା ସୁଦ୍ଧା ଲେଖି ଗୃହ ମନ୍ତ୍ରଣାଳୟକୁ ପଠାଉଛନ୍ତି। ତା’ପରେ ସେହି ଯୋଜନା ଅନୁଯାୟୀ ଦିନସାରା ସେମାନେ କ’ଣ କରିଛନ୍ତି, ତାହା ବି ପଠାଇବାକୁ ନିର୍ଦ୍ଦେଶ ରହିଛି। ଯଦି ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌ ବା କୌଣସି ତଦନ୍ତ ସଂସ୍ଥା କଶ୍ମୀର ବା ନକ୍ସଲ-ଉପଦ୍ରୁତ ଅଞ୍ଚଳରେ କିଛି କରିବାକୁ ଯୋଜନା କରିଛନ୍ତି, ତେବେ ତାହା ନିଶ୍ଚିତ ରୂପେ ସକାଳ ୯ଟାରେ ପଠାଇବାକୁ ହେବ। ଏହାଦ୍ବାରା ଦୈନିକ କାର୍ଯ୍ୟକୁ ମନିଟର କରିବା ମନ୍ତ୍ରଣାଳୟ ପକ୍ଷେ ସୁବିଧାଜନକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର