ଦୁର୍ନୀତିଗ୍ରସ୍ତ ଓ ଅପାରଗ ବାବୁ ବିଦାହେବେ, କାର୍ମିକ ମନ୍ତ୍ରାଳୟ ଜାରି କଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ପଦପଦବିରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ ‌ଓ ଅପାରଗ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରାଯିବ। କର୍ମଚାରୀଙ୍କର ବୟସ ୫୦ କିମ୍ବା ୫୫ ବର୍ଷ ହୋଇଥିଲେ କମ୍ବା ସେମାନଙ୍କର ଚାକିରି କାର୍ଯ୍ୟକାଳ ୩୦ ବର୍ଷ ହୋଇଥିଲେ ସର୍ଭିସ ରେକର୍ଡ ଯାଞ୍ଚ କରାଯାଇ ଏଭଳି କର୍ମଚାରୀମାନଙ୍କୁ ଚିହ୍ନଟ କରି ଅବସର ଦେବା ପାଇଁ ମୋଦୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସବୁ ବିଭାଗକୁ ‌କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯିବ।

ମୌଳିକ ନିୟମ ୫୬(ଜେ) ଏବଂ ୫୬(ଆଇ) ଏବଂ କେନ୍ଦ୍ରୀୟ ନାଗରିକ ସେବା (ପେନସନ) ନିୟମ ୧୯୭୨ ଅନୁଯାୟୀ କର୍ମଚାରୀମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯିବ। ଏହି ନିୟମରେ କର୍ମଚାରୀମାନଙ୍କୁ ଅବସର ଦେବା ଲାଗି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ତେବେ ଏହା ବାଧ୍ୟତାମୂଳକ ଅବସରଠାରୁ ମଧ୍ୟ ଭିନ୍ନ। କେନ୍ଦ୍ରୀୟ ନାଗରିକ ସେବା (ବର୍ଗୀକରଣ, ନିୟନ୍ତ୍ରଣ ଓ ଆବେଦନ) ନିୟମ ୧୯୬୫ ଅଧୀନରେ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥାଏ ବୋଲି ଗତ ଶୁକ୍ରବାର ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଜଣେ ସରକାରୀ ଚାକିରିଆଙ୍କୁ ୫୦ କିମ୍ବା ୫୫ ବର୍ଷ ହୋଇଥିଲେ କିମ୍ବା ସେ ୩୦ ବର୍ଷ ଚାକିରି କରିସାରିଥିଲେ ତାଙ୍କୁ ଆଗୁଆ ଅବସର ଦିଆଯାଇ ପାରିବା କ୍ଷମତା ସରକାରଙ୍କ ନିକଟରେ ରହିଛି। କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ସବୁ ବିଭାଗର ସଚିବଙ୍କ ନିକଟକୁ ପଠାଯାଇଛି। ପ୍ରତି ତ୍ରୟମାସରେ ମନ୍ତ୍ରାଳୟ/ବିଭାଗ/କ୍ୟାଡରର ଜଣେ ବରିଷ୍ଠ ଅଧିକାରୀ ଏସବୁର ସମୀକ୍ଷା କରିବେ।

ସମ୍ବନ୍ଧିତ ଖବର