ଦୁର୍ନୀତି ବିରୋଧୀ ସାଉଦୀ ସମ୍ରାଟଙ୍କ ଦୁର୍ନୀତି!: ସବୁଠୁ ଦାମୀ ପ୍ରାସାଦ କିଣିଛନ୍ତି ସଲମାନ୍‌

ନୂଆଦିଲ୍ଲୀ: ସାଉଦି ଆରବରୁ ଦୁର୍ନୀତି ହଟାଇବା ଅଭିଯାନରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ଗତ ମାସରେ ସଂଖ୍ୟାଧିକ ସାଉଦୀ ରାଜକୁମାର ଏବଂ ବରିଷ୍ଠ ବ୍ୟବସାୟୀଙ୍କୁ ଗିରଫ କରିବା ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ବିଶ୍ୱର ସବୁଠୁ ଦାମୀ ପ୍ରାସାଦକୁ ସଲମାନ୍‌ କିଣିଥିବା ଖବର ପ୍ରଘଟ ହେବା ପରେ ତାଙ୍କ ଦେଶରେ ଚାପା ଗୁଞ୍ଜରଣ ବ୍ୟାପିଚାଲିଛି। ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଜଣେ ସାମାଜିକ ସଂସ୍କାରକର ଗରିମା ବହନ କରିଥିବା ସମ୍ରାଟ ସଲମାନ୍‌ଙ୍କ ଭାବମୂର୍ତ୍ତି ଭୀଷଣ ଭାବେ ପ୍ରଭାବିତ ହେବ ବୋଲି ବିଶ୍ଳେଷକମାନେ ଆଶଙ୍କା କରିଛନ୍ତି।

ସୂଚନା ଥାଉ କି, ୨୦୧୫ ମସିହାରେ ୩୦ କୋଟି ଡଲାରରେ ବିକ୍ରି ହୋଇଥିବା ଫ୍ରାନ୍ସର ବିଶାଳ ପ୍ରାସାଦ ‘ଚାଟ୍ୟୁ ଲୁଇ ଏକ୍ସଆଇଭି’ ଫରଚ୍ୟୁନ୍‌ ମାଗାଜିନ୍‌ରେ ବିଶ୍ୱର ସବୁଠୁ ଦାମୀ କୋଠାର ମାନ୍ୟତା ରଖିଥିବା ବେଳେ ଏହାର ମାଲିକ ସମ୍ପର୍କରେ କେହି ସେତେବେଳେ ଜାଣିନଥିଲେ। ତେବେ ଫ୍ରାନ୍ସର ଭର୍ସେଲ୍‌ ଏହି ପ୍ରାସାଦର ମାଲିକ ସାଉଦୀ ସମ୍ରାଟ ସଲମାନ୍‌ ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଗୃହର ମାଲିକାନାକୁ ଲୁଚାଇ ରଖିଥିବା ଫ୍ରାନ୍ସ ଏବଂ ଲୁକ୍ସେମବର୍ଗର ବିଭିନ୍ନ ସେଲ୍‌ କମ୍ପାନିଗୁଡ଼ିକୁ ସଲମାନ୍‌ଙ୍କ ବ୍ୟକ୍ତିଗତ ଫାଉଣ୍ଡେସନର ମୁଖ୍ୟଙ୍କ ଦ୍ୱାରା ପରିଚାଳିତ ବୋଲି ସ୍ପଷ୍ଟ ହୋଇଛି। ୨୦୧୫ ମସିହାରେ ସେ ମଧ୍ୟ ୫୦ କୋଟି ଡଲାରର ଏକ ନୌକାର ମାଲିକ ହୋଇଥିବା ବେଳେ ଗତ ମାସରେ ୪୫ କୋଟି ଡଲାର ମୂଲ୍ୟର ଲିଓନାର୍ଡୋ ଡା ଭିନ୍ସିଙ୍କ ଚିତ୍ରକଳା ‘ସାଲଭେଡର ମୁଣ୍ଡି’ ମଧ୍ୟ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ କିଣିଥିବା ରିପୋର୍ଟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର