ଚଣ୍ଡିଗଡ଼: ପଂଜାବର ଉଦ୍ୟାନ ବିଭାଗ ମନ୍ତ୍ରୀ ଫୌଜ ସିଂହ ସରାରି ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ଫୌଜଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାପରେ ସେ ଇସ୍ତଫା ଦେଇଛନ୍ତି। ଫୌଜ କହିଛନ୍ତି, ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଉଛନ୍ତି ଏବଂ ଦଳ ପ୍ରତି ତାଙ୍କର ଆନୁଗତ୍ୟ ସର୍ବଦା ରହିବ। ଅବସରପ୍ରାପ୍ତ ପୁଲିସ ଅଧିକାରୀ ସରାରି ଫିରୋଜପୁରର ଗୁରୁ ହର ସହାଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ୬୧ ବର୍ଷୀୟ ମନ୍ତ୍ରୀ କିଛି ସରକାରୀ ଅଧିକାରୀଙ୍କ ସହଯୋଗରେ କଣ୍ଟ୍ରାକ୍ଟରଙ୍କୁ ଟ୍ରାପ୍‌ କରି ସେମାନଙ୍କଠାରୁ ଟଙ୍କା ଆଦାୟ କରିବା ଅଭିଯୋଗ ହୋଇଥିଲା। ଜଣେ ଘନିଷ୍ଠ ସହଯୋଗୀଙ୍କ ସହ ଟଙ୍କା ଆଦାୟ ନେଇ ସରାରି କଥା ହୋଇଥିଲେ। ଏହାର ଏକ ଅଡିଓ ଜାରି ହେବାପରେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।