ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ରକ୍ତପିପାସୁ ଗଧିଆ ପରି, ସେମାନଙ୍କୁ ଦୃଢ ହସ୍ତରେ ଦମନ କରାଯିବା ଉଚିତ : ମାଡ୍ରାସ ହାଇକୋର୍ଟ

ଚେନ୍ନାଇ : ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କ ଉପରେ ଭୀଷଣ ବିରକ୍ତ ହୋଇଛନ୍ତି ମାଡ୍ରାସ ହାଇକୋର୍ଟ । ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ରକ୍ତପିପାସୁ ଗଧିଆ ପରି ସେମାନଙ୍କୁ ଦୃଢ ହସ୍ତରେ ଦମନ କରାଯିବା ଉଚିତ ।

ଲକଡାଉନ ସମୟରେ ବିଭିନ୍ନ ବ୍ୟକ୍ତି, କମ୍ପାନି ଓ ସଂସ୍ଥାମାନଙ୍କୁ ଅର୍ଥବିନିମୟରେ ଇ-ପାସ ଯୋଗାଇଦେବା ସଂପର୍କିତ ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ।

ଜଷ୍ଟିସ ଏନ.କିରୁବାକରନ ଓ ଜଷ୍ଟିସ ଭି.ଏମ. ଭେଲୁମଣିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ସାରା ଦେଶ ଗୁରୁତରଭାବେ ପ୍ରଭାବିତ ହୋଇଥିବାବେଳେ ଏହାର ମୁକାବିଲା ଲାଗି ସରକାର ଲକଡାଉନ ଘୋଷଣା କରିଛନ୍ତି । ତେବେ ଜରୁରୀ ଓ ଅତ୍ୟାବଶ୍ୟକ କାମ ନିମନ୍ତେ ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କ ପାଇଁ ଇ-ପାସ ବ୍ୟବସ୍ଥା କରାଯାଇଛି । କିନ୍ତୁ କେତେକ ଅସାଧୁ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଲାଞ୍ଚ ନେଇ ଏସବୁ ଇ-ପାସ ଜାରି କରୁଥିବା ଅଭିଯୋଗ ଉଛୁଛି । ବ୍ରୋକରଙ୍କ ମାଧ୍ୟମରେ ୫୦୦ରୁ ୨ ହଜାର ଟଙ୍କା ଦେଲେ ଇ-ପାସ ମିଳୁଛି । ଗଣମାଧ୍ୟମରେ ମଧ୍ୟ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇଛି । ମହାମାରୀ ଓ ଲକଡାଉନ ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବାବେଳେ କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ସରକାର ଏହାକୁ ଗୁରୁତ୍ୱର ସହ ନେଇ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।

ସମ୍ବନ୍ଧିତ ଖବର