ଦୁର୍ନୀତି ମାମଲା: ବହିଷ୍କୃତ ହେବାପରେ ଗିରଫ ‌ହେଲେ ପଂଜାବ ସ୍ବାସ୍ଥ୍ୟମନ୍ତ୍ରୀ

ମାନ୍‌ଙ୍କ ପଦକ୍ଷେପ ମୋ ଆଖିରେ ଲୁହ ଆଣିଛି: କେଜ୍ରିୱାଲ

ଅମୃତସର : ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଦୁର୍ନୀତି ମାମଲାରେ ରାଜ୍ୟ କ୍ୟାବିନେଟ୍‌ରୁ ବହିଷ୍କାର କରିଛନ୍ତି। ସିଙ୍ଗଲା ବହିଷ୍କୃତ ହେବାର କିଛି ଘଣ୍ଟା ପରେ ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ବାରା ଗିରଫ ‌ହୋଇଛନ୍ତି। ମାନ୍‌ ଆଜି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ସ୍ବାସ୍ଥ୍ୟମନ୍ତ୍ରୀ ଦୁର୍ନୀତିରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ମୁଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ କ୍ୟାବିନେଟ୍‌ରୁ ହଟାଇ ଦେଇଛି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ କରିବାପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଏକ ବଡ଼ ଟେଣ୍ଡର୍‌ ପାଇଁ ୧ ପ୍ରତିଶତ କମିସନ୍‌ ଦାବି କରିଥିଲେ ଏବଂ ଏହା ଧରାପଡ଼ିଯିବା ପରେ ନିଜର ଭୁଲ୍‌ ସ୍ବୀକାର କରିଥିଲେ। ପୂର୍ବ ସରକାରକୁ କଡ଼ା ସମାଲୋଚନା କରି ମାନ୍‌ କହିଛନ୍ତି, ପୂର୍ବ ସରକାରରେ ଦୁର୍ନୀତିକୁ ସୁରକ୍ଷା ଦିଆଯାଉଥିଲା କିନ୍ତୁ ଏବେ ଆଉ ପଂଜାବରେ ଦୁର୍ନୀତି ଚାଲିବ ନାହିଁ। ମାନ୍‌ଙ୍କର ଏହି ପଦେକ୍ଷପ ପାଇଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କଠାରୁ ପ୍ରଶଂସା ପାଇଛନ୍ତି। କେଜ୍ରିୱାଲ କହିଛନ୍ତି, ମାନ୍‌ଙ୍କ ପଦକ୍ଷେପ ମୋ ଆଖିରେ ଲୁହ ଆଣିଦେଇଛି।

ସମ୍ବନ୍ଧିତ ଖବର