ଦୁର୍ନୀତି ଆଇନର ସଂଶୋଧନ ପରେ ସିବିଆଇ ଦ୍ୱାରା ପଞ୍ଜୀକୃତ ହେଉଥିବା ଦୁର୍ନୀତି ମାମଲାରେ ୪୦% ହ୍ରାସ ଘଟିଛି

ନୂଆଦିଲ୍ଲୀ: ଜୁଲାଇ ୨୦୧୮ରେ ଦୁର୍ନୀତି ନିବାରଣ ଆଇନ (ପିସିଏ)ରେ ଏକ ସଂଶୋଧନ କରାଯିବା ପରେ ସିବିଆଇ ଦ୍ୱାରା ପଞ୍ଜୀକୃତ ହେଉଥିବା ଦୁର୍ନୀତି ମାମଲା ସଂଖ୍ୟା ହ୍ରାସ ପାଇଛି।
କେନ୍ଦ୍ରୀୟ ଭିଜିଲାନ୍‌ସ କମିଶନଙ୍କୁ ସିବିଆଇ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ବର୍ଷ ରେକର୍ଡ ହୋଇଥିବା ମାମଲା ସଂଖ୍ୟା ୨୦୧୭ (ସଂଶୋଧନର ଏକ ବର୍ଷ ପୂର୍ବରୁ) ତୁଳନାରେ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଛି।

ନୂତନ ସଂଶୋଧିତ ନିୟମ ଅନୁଯାୟୀ କୌଣସି ଅନୁସନ୍ଧାନକାରୀ ସଂସ୍ଥା ସରକାରୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ହେଲେ ଏଥିପାଇଁ ସରକାରଙ୍କ ଅନୁମତି ଆବଶ୍ୟକ। ତେବେ, ଏହି ବ୍ୟବସ୍ଥା ଲାଞ୍ଚ ମାମଲାରେ ପ୍ରଯୁଜ୍ୟ ନୁହେଁ। ୨୦୧୯ରେ, ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବା ୭୧୦ଟି ମାମଲା ମଧ୍ୟରୁ ୩୯୬ଟି ଦୁର୍ନୀତି ମାମଲା ଥିଲା। ଆଉ ଏହି ୩୯୬ଟି ମାମଲା ମଧ୍ୟରୁ ୧୧୬ଟି ଲାଞ୍ଚ ସମ୍ବନ୍ଧୀୟ ମାମଲା ରହିଥିଲା, ଯାହାକି ନୂତନ ସଂଶୋଧିତ ଆଇନର ଧାରା ୧୭ଏ ଅନୁଯାୟୀ ତଦନ୍ତ ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ କରୁ ନଥିଲା।

ତେଣୁ, ଗତ ବର୍ଷ ସିବିଆଇ କେବଳ ୨୮୦ଟି ଦୁର୍ନୀତି ମାମଲା ପଞ୍ଜିକୃତ କରିଥିଲା। ଆଉ ଏହି ମାମଲାଗୁଡ଼ିକ କେବଳ ମାତ୍ର ସରକାରଙ୍କର ଅନୁମତି ପରେ ହିଁ ପଞ୍ଜିକୃତ ହୋଇଥିଲା। ତେଣୁ ୨୦୧୭ରୁ ୨୦୧୯ ମଧ୍ୟରେ ପଞ୍ଜିକୃତ ମାମଲାଗୁଡ଼ିକର ହାର ୩୭ ପ୍ରତିଶତ ହ୍ରାସ ପାଇଛି। ସେହିପରି ଏହି ଅବଧି ମଧ୍ୟରେ ସରକାରଙ୍କ ଅନୁମତି ଆବଶ୍ୟକ କରୁଥିବା ମାମଲାଗୁଡ଼ିକର ଶତକଡ଼ା ୪୦ ପ୍ରତିଶତ ହ୍ରାସ ଘଟିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର