୧୦ ମିନିଟ୍‌ରେ ୨ କୋଟିରୁ ୧୮ କୋଟି, ରାମ ମନ୍ଦିର ଜମି କିଣାରେ ଦୁର୍ନୀତି ବିବାଦ ଘନେଇଲା

ଲକ୍ଷ୍ନୌ : ଅଯୋଧ୍ୟା‌ରେ ରାମ ମନ୍ଦିର ପାଇଁ ଜମି କିଣାରେ ବଡ଼ ଧରଣର ଦୁର୍ନୀତି। ୧୦ ମିନିଟର ଖେଳକୁ ନେଇ ଚର୍ଚା। ୨ କୋଟି ଟଙ୍କାରେ କିଣା ଯାଇଥିବା ଜମିର ମୂଲ୍ୟ ୧୦ ମିନିଟରେ କିପରି ୧୮ କୋଟି ୫୦ ଲକ୍ଷ ଟଙ୍କା ହୋଇଗଲା? ଏହି କଥିତ ଘୋଟାଲାରେ ରାମ ମନ୍ଦିର ଟ୍ରଷ୍ଟ ଜଡ଼ିତ ଥିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିବା ‌ପରେ ବିଭିନ୍ନ ରାଜନୈତିକ ଦଳ ରାମ ମନ୍ଦିର ଟ୍ରଷ୍ଟକୁ ଘେରିଛନ୍ତି। ସରକାର ମୁହଁ ଖୋଲନ୍ତୁ ବୋଲି ଦାବି କରିଛନ୍ତି। କେବଳ ଏତିକି ନୁହେଁ ଏହାର ନିରପେକ୍ଷ ତଦନ୍ତ ଲାଗି ଦାବି ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ଏଭଳି ଅଭିଯୋଗକୁ କେବଳ ରାଜନୈତିକ ମନ୍ତବ୍ୟ କହି ଦୁର୍ନୀତି କଥାକୁ ଖଣ୍ଡନ କରିଛି।

କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ଆଜି କହିଛନ୍ତି ଯେ ସୁପ୍ରିମ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ। କୋର୍ଟ ନି‌ର୍ଦେଶରେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରାଯାଇଥିଲା। ଏହି ଟ୍ରଷ୍ଟ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିବାରୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସ୍‌ଆଇଟି ଦ୍ବାରା ତଦନ୍ତ କରାଯାଉ। ଶିବସେନା ନେତା ସଂଜୟ ରାଉତ ମଧ୍ୟ ସିବିଆଇ ଦ୍ବାରା ତଦନ୍ତ ଦାବି କରିଛନ୍ତି।

ଜମି ଦୁର୍ନୀତି ସଂପର୍କରେ ସମାଜବାଦୀ ପାର୍ଟି ଏବଂ ଆପ୍ ନେତାମାନେ ପ୍ରଥମେ ଅଭିଯୋଗ ଆଣିଥିଲେ। ସେମାନଙ୍କର ଅଭିଯୋଗ ଅନୁଯାୟୀ ଗତ ମାର୍ଚ୍ଚରେ ଏହି ଜମି କିଣାଯାଇଛି। ଦୁଇ ରିଅଲ ଇଷ୍ଟେଟ ଡିଲର୍‌ ଏଥିରେ ଜଡ଼ିତ ଅଛନ୍ତି। ଦୁଇ ଜଣ ଯାକ ଡିଲର ଜଣେ ବ୍ୟକ୍ତିଠାରୁ ଉକ୍ତ ଜମିକୁ ୨ କୋଟି ଟଙ୍କାରେ କିଣିଥିଲେ। କିନ୍ତୁ ଏହାର କିଛି ମିନିଟ ପରେ ସେମାନେ ସେହି ଜମିକୁ ୧୮.୫ କୋଟି ଟଙ୍କାରେ ରାମ ମନ୍ଦିର ଟ୍ରଷ୍ଟକୁ ବିକ୍ରି କରିଛନ୍ତି। ସ୍ଥାନୀୟ ବିଜେପି ନେତା ଏବଂ ଟ୍ରଷ୍ଟର କିଛି ସଦସ୍ୟଙ୍କ ଜାଣତରେ ଏହି ଦୁର୍ନୀତି ହୋଇଛି ବୋଲି ସମାଜବାଦୀ ପାର୍ଟି ବିଧାୟକ ପବନ ପାଣ୍ଡେ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣ୍ଡେ ଏ ସଂକ୍ରାନ୍ତ ଦସ୍ତାବିଜ୍‌ ମଧ୍ୟ ଦେଖାଇଛନ୍ତି। ରାମ ଜନ୍ମଭୂମି ସ୍ଥାନ ନିକଟରେ ଏହି ଜମି ରହିଛି। ଦୁଇଟି ଯାକ ଜମି ବିକ୍ରିର ଷ୍ଟାମ୍ପ ପେପରରେ ଦୁଇଜଣ ସମାନ ସାକ୍ଷୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅଯୋଧ୍ୟାର ମେୟର ଏବଂ ଅନ୍ୟଜଣେ ହେଲେ ଟ୍ରଷ୍ଟର ସଦସ୍ୟ। ଏହି ମାଟିରେ ‌ଏମିତି କ’ଣ ସୁନା ବାହାରିଲା ଯେ ୧୦ ମିନିଟ ମଧ୍ୟରେ ଏହାର ଦାମ ୨ କୋଟି ଟଙ୍କାରୁ ୧୮.୫ କୋଟି ଟଙ୍କାକୁ ବଢ଼ିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ରାମ ମନ୍ଦିର ପାଇଁ ଦେଶର କୋଟି କୋଟି ଲୋକ ସେମାନଙ୍କ ସଞ୍ଚୟରୁ ଅର୍ଥ ଦାନ କରିଛନ୍ତି। ଯଦି ସେମାନଙ୍କ ଅର୍ଥ ସହିତ ଏଭଳି ଖେଳ ହୁଏ ତା’ହେଲେ ଦେଶର ୧୨୦ ଲୋକଙ୍କ ପାଇଁ ଏହା ଲଜ୍ଜା ବୋଲି ପାଣ୍ଡେ କହିଛନ୍ତି।

ଆପ୍‌ ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ମଧ୍ୟ ସମାନ ଧରଣର ଅଭିଯୋଗ ଆଣିଛନ୍ତି। ଜମି କିଣାବିକା ଦସ୍ତାବିଜ୍‌ରୁ ଜଣାଯାଉଛି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଛି। ପ୍ରଥମ କ୍ରୟ ପାଇଁ ସଂଧ୍ୟା ୫ଟା ୧୧ ମିନିଟରେ ଷ୍ଟାମ୍ପ ପେପର କିଣାଯାଇ ଥିବାବେଳେ ଦ୍ବିତୀୟ ଥର କ୍ରୟବିକ୍ରୟ ପାଇଁ ୫ଟା ୨୨ ମିନିଟରେ ଷ୍ଟାମ୍ପ ପେପର କିଣାଯାଇଛି ବୋଲି ଆପ୍‌ ନେତା ଅଭିଯୋଗ କରିଛନ୍ତି। ଏହି ମାମଲା ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଥିବାରୁ ସିବିଆଇ କିମ୍ବା ଇଡି ଦ୍ବାରା ଏହାର ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଅଯୋଧ୍ୟାରେ ୨୪୩, ୨୪୪ ଏବଂ ୨୪୬ ନମ୍ବରରେ ଯେଉଁ ପଞ୍ଜୀକରଣ ହୋଇଛି ସେହି ଜମିର ମୂଲ୍ୟ ୫.୮୦ କୋଟି ଟଙ୍କା। କିନ୍ତୁ ‌ସେହି ଜମିକୁ କୁ‌ସୁମ ପାଠକ ଏବଂ ହରିଷ ପାଠକଙ୍କ ଠାରୁ ସୁଲତାନ ଅନସାରୀ ଓ ରବି ମୋହନ ତିୱାରୀ ୨ କୋଟି ଟଙ୍କାରେ କିଣିଛନ୍ତି। ଏଥିରେ ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟ ଅନୀଲ ମିଶ୍ର ଏବଂ ଅଯୋଧ୍ୟାର ମେୟର ଋଷିକେଶ ଉପାଧ୍ୟାୟ ସାକ୍ଷୀ ରହିଛନ୍ତି। ରାତି ୭ଟା ୧୦ ମିନିଟରେ ଏହା କିଣାଯାଇଛି। ଏହାର ୧୦ ମିନିଟ ପରେ ସେହି ଜମିକୁ ଅନସାରୀ ଓ ତିୱାରୀଙ୍କ ଠାରୁ ୧୮.୫ କୋଟି ଟଙ୍କାରେ କିଣିଛି ରାମ ଜନ୍ମଭୂମି ଟ୍ରଷ୍ଟ।

ତେବେ ଏହି ଅଭିଯୋଗକୁ ରାମ ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତ୍ତ ରାୟ ସେତେଟା ଗୁରୁତ୍ବ ଦେଇନାହାନ୍ତି। ମନ୍ତବ୍ୟ ଦେବା ପାଇଁ ଉକ୍ତ ଅଭିଯୋଗ ଆଦୌ ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି। ଶହେ ବର୍ଷରୁ ଅଧିକ ସମୟ ହେଲା ସବୁ ପ୍ରକାର ଅଭିଯୋଗ କରାଯାଇ ଆସୁଛି। ଏପରିକି କିଛି ଲୋକ ଆମକୁ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ମଧ୍ୟ ଦୋଷ ଦିଅନ୍ତି। ଆମେ ସେସବୁ ଅଭିଯୋଗକୁ ନେଇ ଚିନ୍ତିତ ନୁହେଁ ବୋଲି ଚମ୍ପତ୍ତ ରାୟ କହିଛନ୍ତି। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନର ବିକ୍ରେତା ବହୁବର୍ଷ ପୂର୍ବରୁ ଏକ ମୂଲ୍ୟରେ ପଞ୍ଜୀକରଣ ରାଜିନାମା କରିଥିଲେ। ତେବେ ମାର୍ଚ୍ଚ ୧୮ରେ ସେମାନେ ଟ୍ରଷ୍ଟକୁ ସେହି ଜମିକୁ ବିକ୍ରି କରିଥିଲେ। ସୁପ୍ରିମ କୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ ଜମି ମୂଲ୍ୟ ବହୁତ ବଢ଼ିଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର