ଆଉ ମାତ୍ର ୨ମାସ, ଗୁଜରାଟରେ ବିଜେପିକୁ ହଟାଇ ଆପ୍ ସରକାର ଗଠନ କରିବ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ଦଳ। ବିଶେଷ କରି ଆପ୍ ସରକାର ବିଜେପିକୁ ହଟାଇ ଗୁଜରାଟର କ୍ଷମତା ହାତେଇବା ପାଇଁ ରାଜ୍ୟରେ ଡେରା ଜମାଇଛି। ଗୁଜରାଟବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ହାତେଇବାକୁ ଚାହୁଁଛନ୍ତି।

ସେ କହିଛନ୍ତି ଯେ ଦୁଇ ମାସ ବାକି ଅଛି। ବିଜେପି ଯାଉଛି, ଆମ୍ ଆଦମୀ ପାର୍ଟି ଆସୁଛି। ମୁଁ ଗତ କିଛି ମାସ ଧରି ଗୁଜୁରାଟରେ ବୁଲୁଥିଲି। ଲୋକଙ୍କୁ ଭେଟିଥିଲି। ଓକିଲ, ଅଟୋ ଡ୍ରାଇଭର, କୃଷକ, ବ୍ୟବସାୟୀ ସମସ୍ତଙ୍କୁ ମୁଁ ସାକ୍ଷାତ କରିଥିବା ବେଳେ ସମସ୍ତେ ମୋତେ କହିଛନ୍ତି ଯେ ଗୁଜରାଟରେ ବହୁତ ଦୁର୍ନୀତି ହୋଇଛି। ଯଦି କେହି କୌଣସି ସରକାରୀ ବିଭାଗରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଲାଞ୍ଚ ଦେବାକୁ ପଡ଼ୁଛି। ପାଟି ଖୋଲିଲେ ଲୋକଙ୍କୁ ଭୟଭୀତ କରାଯିବା ସହ ଧମକ ଦିଆଯାଉଛି। ହେଲେ ମୁଁ କଥା ଦେଉଛି ଯଦି ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହୁଏ, ତେବେ ରାଜ୍ୟ ଦୁର୍ନୀତିମୁକ୍ତ ଏବଂ ଭୟ ମୁକ୍ତ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର କୌଣସି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦ କିମ୍ବା ଅନ୍ୟ ଦଳର ସାଂସଦକୁ ମଧ୍ୟ ଆମେ ଦୁର୍ନୀତି କରିବାକୁ ଦେବୁ ନାହିଁ। ଯଦି ସେମାନେ ଦୁର୍ନୀତି କରନ୍ତି, ତେବେ ସେମାନଙ୍କୁ ଜେଲ ପଠାଇବୁ। ଗୁଜରାଟର ଲୋକଙ୍କ ଟଙ୍କା ଗୁଜରାଟର ବିକାଶ ପାଇଁ ଖର୍ଚ୍ଚ ହେବ। ଯେତେବେଳେ ଆପ୍ ସରକାର ଗଠନ ହେବ, କାହାକୁ ବି କୌଣସି କାମ ପାଇଁ ଲାଞ୍ଚ ଦେବାକୁ ପଡ଼ିବ ନାହିଁ। ନେତା, ମନ୍ତ୍ରୀ, ବିଧାୟକଙ୍କ ସମସ୍ତ କଳା ବ୍ୟବସାୟ ବନ୍ଦ କରାଯିବ।

ସମ୍ବନ୍ଧିତ ଖବର