ମୋର୍ବି ଝୁଲା ପୋଲ ନବୀକରଣରେ ଦୁର୍ନୀତି! ମଞ୍ଜୁର ୨ କୋଟିରୁ ଓରେଭା ମାତ୍ର ୧୨ ଲକ୍ଷ ଖର୍ଚ୍ଚ କରିଥିଲା

ମୋର୍ବି: ୧୪୩ ବର୍ଷର ପୁରୁଣା ମୋର୍ବି ଝୁଲା ପୋଲ ନବୀକରଣ ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ମାତ୍ର ଏହି କାମର ଠିକା ନେଇଥିବା ଓରେଭା ଗ୍ରୁପ୍ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ତଦନ୍ତରୁ ଜଣାପଡ଼ିଛି। ଫଳରେ ସର୍ବସାଧାରଣଙ୍କ ପାଇଁ ପୋଲଟି ଖୋଲାଯିବାର ମାତ୍ର ୬ ଦିନ ପରେ ଅକ୍ଟୋବର ୩୦ ତାରିଖରେ ପୋଲ ଭୁଶୁଡ଼ି ୧୪୩ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଶତାଧିକ ନିଖୋଜ ହୋଇଯାଇଥିଲେ। ପୋଲ ମରାମତି ସହ ୧୫ ବର୍ଷ ପାଇଁ ରକ୍ଷଣାବେକ୍ଷଣର ଦାୟିତ୍ବ ନେଇଥିବା ଓରେଭା ଗ୍ରୁପ୍‌ର ଅଧ୍ୟକ୍ଷ ଜୟସୁଖ ପଟେଲ ଗତ ଅକ୍ଟୋବର ୨୪ରେ ଘୋଷଣା କରିଥିଲେ ଯେ ପୋଲ କାମ ସରିଯାଇଛି ଏବଂ ଗୁଜରାଟୀ ନୂଆବର୍ଷରେ ଏହା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲାଯାଇପାରିବ। କିନ୍ତୁ ପୋଲ ଭୁଶୁଡ଼ିବା ପରେ ଏବେ ତଦନ୍ତରୁ ଜଣାପଡ଼ିଛି ଯେ ୨ କୋଟି ଜାଗାରେ ଓରେଭା ଗ୍ରୁପ୍ ମାତ୍ର ୧୨ ଲକ୍ଷ ବା ମୋଟ ମଞ୍ଜୁରିର ୬ ପ୍ରତିଶତ ଖର୍ଚ୍ଚ କରିଥିଲା।

ଏହା ମଧ୍ୟ ନିଜେ କାମ ନ କରି ଆଉ ଏକ ଅନଭିଜ୍ଞ କମ୍ପାନିକୁ ସବ୍‌-କଣ୍ଟ୍ରାକ୍ଟ ଦେଇଥିଲା। କେବଳ ଉପରେ ରଙ୍ଗ ବୋଳିବା ଓ ଚଟାଣରେ କିଛି ବାଲି-ସିମେଣ୍ଟ ଢାଳିବା ଛଡ଼ା ଏହା ଆଉ କିଛି କରି ନ ଥିବା ଫୋରେନ୍ସିକ୍ ତଦନ୍ତରୁ ଜଣାପଡ଼ିଛି। ଘଣ୍ଟା ଓ ଗୃହୋପକରଣ ତିଆରି କରୁଥିବା ଓରେଭା କମ୍ପାନିର ଭିତ୍ତିଭୂମି ନିର୍ମାଣରେ କୌଣସି ଅଭିଜ୍ଞତା ନ ଥିବାରୁ ଏହା ଦେବପ୍ରକାଶ ସଲ୍ୟୁସନ୍ସ ନାମକ ଏକ ଉପ-ଠିକାଦାରକୁ କାମ ଦେଇଥିଲା, ଯାହାର ବି କିଛି ଅଭିଜ୍ଞତା ନାହିଁ। ଦେବପ୍ରକାଶ ସଲ୍ୟୁସନ୍ସ ମରାମତିରେ କେତେ ଟଙ୍କା ଖର୍ଚ୍ଚ କରିଛି, ତା’ର କାଗଜପତ୍ର ଜବତ କରାଯାଇଛି, ଯେଉଁଥିରୁ ଏହା ମଞ୍ଜୁରି ଅର୍ଥର ମାତ୍ର ୬ ପ୍ରତିଶତ ଖର୍ଚ୍ଚ କରିଥିବା ଏବଂ କଳଙ୍କିଲଗା କେବୁଲକୁ ମଧ୍ୟ ବଦଳାଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର