ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଅର୍ପିତାଙ୍କ ଘରୁ ମିଳିଲା ବିସ୍ଫୋରକ ତଥ୍ୟ ଥିବା କଳା ଡାଏରୀ

ଅର୍ପିତାଙ୍କ ନାଁରେ ୬ କମ୍ପାନି

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି (ଏସ୍‌ଏସ୍‌ସି ସ୍କାମ୍) ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଧିକାରୀମାନେ ଚଢ଼ାଉ ସମୟରେ ଆଜି ଏକ କଳା ଡାଏରୀ ପାଇଛନ୍ତି। ଏହି ଡାଏରୀ ଏସ୍‌ଏସ୍‌ସି ସ୍କାମ୍‌ ସଂକ୍ରାନ୍ତ ବହୁ ରହସ୍ୟକୁ ପଦାରେ ପକାଇପାରେ ବୋଲି କୁହାଯାଉଛି। ଇଡିର କହିବା ଅନୁସାରେ ଏହି ଡାଏରୀ ପଶ୍ଚିମବଙ୍ଗ ସରକାରଙ୍କ ଉଚ୍ଚଶିକ୍ଷା ଓ ସ୍କୁଲ୍ ଶିକ୍ଷା ବିଭାଗର। ଏହାର ୪୦ ପୃଷ୍ଠାରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସଂକ୍ରାନ୍ତରେ ବହୁ ତଥ୍ୟ ଉଲ୍ଲେଖ ରହିଛି।

ବରିଷ୍ଠ ତୃଣମୂଳ ନେତା, ମନ୍ତ୍ରୀ ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ପାଇଁ ମନିଲଣ୍ଡରିଂ ନିରୋଧ ଆଇନ ବଳରେ ଜୁଲାଇ ୨୩ ଶନିବାର ଗିରଫ କରାଯାଇଥିଲା। ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଘରୁ ଶୁକ୍ରବାର ରାତିରେ ନଗଦ ୨୧ କୋଟି ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା। ଏହାପରେ ଅର୍ପିତାଙ୍କୁ ଗିରଫ କରାଯାଇଥିଲା ଏବଂ ସେ ମାନିଛନ୍ତି ଯେ ତାଙ୍କ ଘରୁ ଜବତ ଟଙ୍କା ହେଉଛି ପାର୍ଥ ଚାଟାର୍ଜୀଙ୍କର। ବର୍ତ୍ତମାନ ଜବତ ହୋଇଥିବା ଡାଏରୀରୁ ଦୁର୍ନୀତି ସମ୍ପର୍କରେ ବହୁତଥ୍ୟ ମିଳିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

ଅର୍ପିତାଙ୍କ ନାଁରେ ୬ କମ୍ପାନି
କୋଲକାତା: ଶିକ୍ଷକ ନିଯୁକ୍ତି ସ୍କାମ୍‌ର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ‌ଅଧିକ ଦୁର୍ନୀତି ସାମ୍ନାକୁ ଆସୁଛି। ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରୁ ଇଡି ଅନେକ ଜମି, ଘର ଏବଂ କମ୍ପାନି ସଂକ୍ରାନ୍ତ ଫାଇଲ୍‌ ଜବତ କରିଛି। କିଛି ଦସ୍ତାବିଜରୁ ଜଣାପଡ଼ିଛି, ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ନାଁରେ ୬ଟି କମ୍ପାନି ଅଛି। ସମସ୍ତ କମ୍ପାନିର ନିର୍ଦ୍ଦେଶକ ଅଛନ୍ତି ଅର୍ପିତା ମୁଖାର୍ଜୀ। ମନ୍ତ୍ରୀ ଚାଟାର୍ଜୀଙ୍କ ଅନେକ ଗୁପ୍ତ ସମ୍ପତ୍ତି ତାଲିକା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ଆସିଥବାରୁ ତାହାର ଖୋଳତାଡ଼ ଚାଲିଛି। ଇଡି ଅଧିକାରୀଙ୍କ କହିବାନୁସାରେ, ପାର୍ଥ ଚାଟାର୍ଜୀ ଏବଂ ଅର୍ପିତାଙ୍କ ଘରୁ ଜବତ ହୋଇଥିବା ସମ୍ପତ୍ତି କାଗଜପତ୍ରରୁ ଉଭୟଙ୍କ ସମ୍ପର୍କ କେତେ ଗଭୀର ତାହା ସ୍ପଷ୍ଟ ଜଣାପଡ଼ୁଛି। ଅର୍ପିତାଙ୍କର କସବା, ଠାକୁରପୁକୁର, ରାଜାରହାଟ, ବୋଲପୁର, ଯାଦବପୁର, କେନ୍ଦୁଆ ରୋଡ, ଠାକୁରପୁକୁର, ରାଜାରହାଟ ଏବଂ ଆଟଘୋରା ସମେତ ବିଭିନ୍ନ ସ୍ଥାନରେ ସମ୍ପତ୍ତି ରହିଛି। କେତେବେଳେ ଏହି ସମ୍ପତ୍ତି ପଞ୍ଜୀକୃତ ହୋଇଥିଲା ସେ ବାବଦରେ ମଧ୍ୟ ଅଧିକାରୀମାନେ ବିସ୍ତୃତ ତଥ୍ୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ, ଅର୍ପିତାଙ୍କ ଫ୍ଲାଟରୁ ମିଳିଥିବା ୨୧ କୋଟି ଟଙ୍କା ଯେଭଳି ଭାବେ ପ୍ୟାକିଂ ହୋଇଥିଲା ତାହା ହାୱଲା ମାଧ୍ୟମରେ ବିଦେଶକୁ ଚାଲାଣ ପାଇଁ ଉଦ୍ଦିଷ୍ଟ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି।

ସମ୍ବନ୍ଧିତ ଖବର