କୋଚି(କେରଳ): କେରଳର ରାଜ୍ୟ ରାଜନୀତି ଉପରେ ନଜର ପକାଇଲେ ପୂର୍ବର କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ ସରକାର ଏବଂ ଏବେକାର ସିପିଏମ୍ ନେତୃତ୍ବାଧୀନ ଏଲ୍ଡିଏଫ୍ ସରକାରଙ୍କ ଭିତରେ ଅନେକ ଫରକ ରହିଥିବା ବେଳେ ଅତି କମ୍ରେ ଗୋଟିଏ ବିଶେଷ ସାମଞ୍ଜସ୍ୟ ରହିଛି। ତାହା ହେଲା ମହାଦୁର୍ନୀତି। ଏପରିକି ଦୁର୍ନୀତିର ଚେର ଉଭୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଏ ମାଡ଼ିଯିବା ସହ ପ୍ରମୁଖ ଅଭିଯୁକ୍ତ ମହିଳା ଦ୍ବୟ ହିଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସଂପୃକ୍ତ। ୨୦୧୩ ମସିହାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଉମେନ୍ ଚାଣ୍ଡିଙ୍କ ବିରୋଧରେ ଉଠିଥିବା ସୌର ଦୁର୍ନୀତି ପରବର୍ତ୍ତୀ ୨୦୧୬ ନିର୍ବାଚନରେ ସରକାରଙ୍କୁ ଗାଦିଚ୍ୟୁତ କରିଥିବା ବେଳେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ଙ୍କୁ ଅନୁରୂପ ଭାବେ ସ୍ବର୍ଣ୍ଣ ମହାଦୁର୍ନୀତି ଗୋଡ଼ାଇଛି।
ସେତେବେଳେ ସରିତା ନାୟାର ନାମକ ଜନୈକା ମହିଳା ମୁଖ୍ୟମନ୍ତ୍ରୀ ଚାଣ୍ଡିଙ୍କ କାର୍ଯ୍ୟାଳୟର ତିନି ଜଣ ବରିଷ୍ଠ ଅଧିକାରୀଙ୍କ ମାଧ୍ୟମରେ ଏକ ସୌରଶକ୍ତି କମ୍ପାନି ପାଇଁ ପ୍ରଭୂତ ଲାଞ୍ଚ କାରବାର କରିଥିବା ଅଭିଯୋଗ ଉଠିଥିଲା। ଏହାର ସାତ ବର୍ଷ ପରେ ସମ୍ପ୍ରତି ମହାମାରୀ କୋଭିଡ୍-୧୯ର ସୁପରିଚାଳନା ପାଇଁ ବିଶ୍ବବ୍ୟାପୀ ପ୍ରଶଂସା ସାଉଁଟିଥିବା ସିପିଏମ୍ ମୁଖ୍ୟମନ୍ତ୍ରୀ ବିଜୟନ୍ଙ୍କୁ ସମଦଶା ଭୋଗିବାକୁ ପଡୁଛି। ନିକଟରେ ଧରା ପଡ଼ିଥିବା ଚୋରା ସୁନା ଚାଲାଣ କାରବାର ପଛରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏମ୍ ଶିବଶଙ୍କରଙ୍କ ହାତ ଥିବା ଏବଂ ତାଙ୍କ ସହ ପ୍ରମୁଖ ଅଭିଯୁକ୍ତ ସ୍ବପ୍ନା ସୁରେଶ ନାମକ ମହିଳାଙ୍କର ସମ୍ପର୍କ ଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସୌର ଦୁର୍ନୀତି ଏକ ଠକେଇ ମାମଲା ହୋଇଥିବା ବେଳେ ସ୍ବର୍ଣ୍ଣ ଦୁର୍ନୀତିରେ ସମ୍ଭାବ୍ୟ ଆତଙ୍କବାଦୀ ପାଣ୍ଠି ପାଇଁ ଅର୍ଥ ଯୋଗାଣ ଆଶଙ୍କାର ତଦନ୍ତ ଦାବି କରାଯାଇଛି। ୨୦୧୩ ମସିହାରେ ଲୋକଲୋଚନକୁ ଆସିଥିବା ସୌର ଦୁର୍ନୀତି ସେତେବେଳେ ସୋଲାର ପ୍ୟାନେଲ୍ ବିକିବା ପାଇଁ ଟିମ୍ ସୋଲାର ଏନର୍ଜି ନାମକ ଏକ କମ୍ପାନିର ଠକେଇ ସହ ଜଡ଼ିତ ଥିଲା। ଅଭିଯୁକ୍ତା ସରିତା ଏବଂ ତାଙ୍କ ସ୍ବାମୀ ବିଜୁ ରାଧାକୃଷ୍ଣନ୍ ଉକ୍ତ କମ୍ପାନିର ପ୍ରମୁଖ ପୃଷ୍ଠପୋଷକ ଥିଲେ। ନିବେଶକମାନଙ୍କୁ କମ୍ପାନିର ସୋଲାର ପ୍ୟାନେଲ୍ ସ୍ଥାପନ ପାଇଁ ଅଥବା ଭାଗୀଦାର ହେବା ପାଇଁ ପୁଞ୍ଜି ଖଟାଇବାକୁ ଭରସା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/fhsdfh54sf9h87sfh987sfh98fshsfhhsfhsfhffhh.jpg)