ନୂଆଦିଲ୍ଲୀ : ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବଂଶଧାରା ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କଲେଣି ୩୫୫୫.୬୯ ଲକ୍ଷ ଟଙ୍କା। ଡିସେମ୍ବର ୨୦୨୦ ସୁଦ୍ଧା ଗତ ୯ ବର୍ଷରେ ଏହି ଖର୍ଚ୍ଚ ହୋଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ୨୦୨୦-୨୧ ବାର୍ଷିକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
ମନ୍ତ୍ରାଳୟ ଦ୍ବାରା ୨୦୨୦-୨୧ ଆର୍ଥିକ ବର୍ଷରେ ଟ୍ରିବ୍ୟୁନାଲ୍ ପାଇଁ ୭.୪୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଡିସେମ୍ବର ୨୦୨୦ ସୁଦ୍ଧା ଖର୍ଚ୍ଚ ହୋଇଛି ୨.୯୪ କୋଟି ଟଙ୍କା। ସେହି ଭଳି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ପାଇଁ ୨୦୨୦ ସୁଦ୍ଧା ୨.୭୪ କୋଟି ଟଙ୍କା ଖର୍ଚ୍ଚ ହେଲାଣି। ମନ୍ତ୍ରାଳୟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ମାର୍ଚ ୨୦୧୮ରେ ଟ୍ରିବ୍ୟୁନାଲ ଗଠନ ହେବାପର ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଏହି ଅର୍ଥ ଖର୍ଚ୍ଚ ହୋଇଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ପ୍ରଥମ ତିନି ବର୍ଷରେ କୌଣସି ରିପୋର୍ଟ ପ୍ରଦାନ କରିପାରିନଥିବାରୁ ଚଳିତ ବର୍ଷ ଜୁନ୍ରେ ଏହାର ଅବଧି ୨ ବର୍ଷ ବୃଦ୍ଧି କରାଯାଇଛି।