ନୂଆଦିଲ୍ଲୀ: ୨୦୨୪ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ପାଇଁ ହେଉଛି ନିର୍ବାଚନର ବର୍ଷ । କାରଣ ବିଶ୍ବର ପ୍ରାୟ ୭୦ରୁ ୮୦ଟି ଦେଶରେ ଏବର୍ଷ ନିର୍ବାଚନ ହେଉଛି । ନିର୍ବାଚନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ଆମେରିକା, ରୁଷ, ବ୍ରିଟେନ, ଅଷ୍ଟ୍ରେଲିଆ, ଇସ୍ରାଏଲ, ଇରାନ, ପାକିସ୍ତାନ, ବାଂଲାଦେଶ, ଫ୍ରାନ୍ସ,, ବ୍ରାଜିଲ, ଇଣ୍ଡୋନେସିଆ ଇତ୍ୟାଦି । କିନ୍ତୁ ସବୁଠାରୁ ମହଙ୍ଗା ନିର୍ବାଚନ ହେଉଛି ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ଭାରତରେ ।
ଲୋକସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗି ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନୀ କାର୍ଯ୍ୟକ୍ରମ ରେ ପରିଣତ ହେବାକୁ ଯାଉଛି। ସେଣ୍ଟର ଫର ମିଡିଆ ଷ୍ଟଡିଜ (ସିଏମଏସ) ନାମକ ଏନଜିଓ ଦାବି କରିଛି ଯେ ଏହି ଲୋକସଭା ନିର୍ବାଚନରେ ଆନୁମାନିକ ଖର୍ଚ୍ଚ ୧.୩୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ୨୦୧୯ ନିର୍ବାଚନରେ ହୋଇଥିବା ଖର୍ଚ୍ଚ ତୁଳନାରେ ଏହି ପରିମାଣ ଦୁଇଗୁଣରୁ ଅଧିକ। ସେତେବେଳେ ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସିଏମଏସ ୩୫ ବର୍ଷ ଧରି ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିଛି । ଏହି ବ୍ୟାପକ ବ୍ୟୟରେ ରାଜନୈତିକ ଦଳ ଓ ସଂଗଠନ, ପ୍ରାର୍ଥୀ, ସରକାର ଏବଂ ନିର୍ବାଚନ କମିଶନଙ୍କ ସମେତ ନିର୍ବାଚନ ସମ୍ବନ୍ଧୀୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମସ୍ତ ଖର୍ଚ୍ଚ ଅନ୍ତର୍ଭୁକ୍ତ ବୋଲି ଅନୁଷ୍ଠାନର ସଭାପତି ଏନ୍ ଭାସ୍କର ରାଓ କହିଛନ୍ତି।