୪୦ ଏକର ଜମିରେ ବିବାହ ମଣ୍ଡପ, ୫୦୦ ପଣ୍ଡିତ ପଢ଼ିବେ ମନ୍ତ୍ର

ବାଙ୍ଗାଲୋର: ୪୦ ଏକର ଜମିରେ ନିର୍ମାଣ ହୋଇଛି ବିବାହ ମଣ୍ଡପ | ୫୦୦ ଜଣ ପଣ୍ଡିତ କରାଇବେ ବାହାଘର | କର୍ଣ୍ଣାଟକର ଏଭଳି ଏକ ବାହାଘର ହେବାକୁ ଯାଉଛି ଯାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ବାହାଘରର ବଜେଟ ହେଉଛି ୫୦୦ କୋଟି ଟଙ୍କା । କର୍ଣ୍ଣାଟକ ବିଜେପିର ସଙ୍କଟମୋଚକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବି ଶ୍ରୀରାମୁଲୁ ଝିଅ ରକ୍ଷିତାଙ୍କ ଭବ୍ୟ ବିବାହକୁ ନେଇ ଏବେ କର୍ଣ୍ଣାଟକ ସମେତ ପୂରା ଦେଶରେ ଚର୍ଚ୍ଚା ଲାଗିରହିଛି | ଆସନ୍ତା ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ବି.ଶ୍ରୀରାମୁଲୁଙ୍କ ଝିଅ ରକ୍ଷିତା । ଆଉ ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି ବାପା ଶ୍ରୀରାମୁଲୁ । ତେବେ ଏହି ଭବ୍ୟ ବାହାଘରର ପ୍ରସ୍ତୁତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ୯ ଦିନ ଧରି ଏହି ବିବାହ ଉତ୍ସବ ଚାଲିବ ।

Photo-The news Minute

ଗତ ଫେବ୍ରୁଆରୀ ୨୭ରୁ ଏହି ଉତ୍ସବ ଆରମ୍ଭ ହୋଇଛି । ୫୦୦ କୋଟିର ଏହି ବାହାଘରରେ ଜଣେ କି ଦୁଇଜଣ ପଣ୍ଡିତ ନୁହେଁ ବରଂ ୫୦୦ ଜଣ ପଣ୍ଡିତ ଏହି ବାହାଘରକୁ ସମ୍ପନ୍ନ କରିବେ । ହାଇଦ୍ରାବାଦ ଉଦ୍ୟୋଗପତି ରବି କୁମାରଙ୍କୁ ବିବାହ କରିବେ ରକ୍ଷିତା । ଯଦି ବାହାଘରରେ ଅତିଥିଙ୍କ କଥା କହିବା ତେବେ, ଏହି ଭବ୍ୟ ଉତ୍ସବରେ ସାମିଲ ହେବାକୁ ପ୍ରାୟ ୧ ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏପରିକି ସମସ୍ତ ଅତିଥିଙ୍କ ରହିବା ପାଇଁ ବିଳାସମୟ ହୋଟେଲରେ ବ୍ୟବସ୍ଥା କରାଯାଇଛି । ସେହିଭଳି ଆଖି ଝଲସିଯିବା ଭଳି ବିବାହ ମଣ୍ଡପ ନିର୍ମାଣ ହୋଇଛି । ପ୍ରାୟ ୪୦ ଏକର ଜମିରେ ଏହି ଭବ୍ୟ ବିବାହର ଆୟୋଜନ କରାଯାଇଛି । ଯେଉଁଠି ୧୫ ଏକର ଜମିରେ ପାର୍କିଂ ବ୍ୟବସ୍ଥା ଥିବା ବେଳେ ୬ ଏକର ଜମିରେ ଖାଇବା ବ୍ୟବସ୍ଥା କରାଯାଇଛି । ସେହିଭଳି ୪ ଏକର ଜମିରେ ଭବ୍ୟ ମଣ୍ଡପ ନିର୍ମାଣ ହୋଇଛି । ବଲିଉଡର ସେଟ୍ ଡିଜାଇନର ମଣ୍ଡପକୁ ହାମ୍ପିର ବୀରୁପାକ୍ଷ ମନ୍ଦିର ଶୈଳୀରେ ନିର୍ମାଣ କରିଛନ୍ତି । ୩୦୦ ଲୋକଙ୍କୁ ଏହି ମଣ୍ଡପ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହାଛଡା ମଣ୍ଡପକୁ ଫୁଲରେ ସଜାଇବା ପାଇଁ ୨୦୦ ଲୋକଙ୍କୁ ନିୟୋଜିତ କରାଯାଇଛି ।

Photo-News 18

ଏହାବାଦ୍ ରକ୍ଷିତା ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ବଧୂ ବେଶରେ ସଜାଇବାକୁ ବଲିଉଡ ଷ୍ଟାର ଦୀପିକା ପାଦୁକୋଣଙ୍କ ମେକଅପ ଆର୍ଟିଷ୍ଟଙ୍କୁ ଡକାଯାଇଛି । ଯିଏ ଦୀପିକାଙ୍କୁ ବିବାହରେ ବଧୂ ବେଶରେ ସଜାଇଥିଲେ । ସେହିଭଳି ଫଟୋ ଓ ଭିଡିଓଗ୍ରାଫି ପାଇଁ ଜୟରାମନ ପିଲ୍ଲାଇ ଓ ଦିଲୀପଙ୍କ ଟିମକୁ ଡକାଯାଇଛି। ଏହି ଟିମ୍ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ଶାହି ବିବାହରେ ଫଟୋ ଉତ୍ତୋଳନ ସହିତ ଭିଡିଓଗ୍ରାଫି କରିଥିଲେ । ରକ୍ଷିତାଙ୍କ ବିବାହ ପାଇଁ ଏକ ଲକ୍ଷ ଟଙ୍କାର ସ୍ଵତନ୍ତ୍ର କାର୍ଡ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ଉପରେ ଏହି କାର୍ଡର ଥିମ୍ ରହିଛି । ନିମନ୍ତ୍ରଣ କାର୍ଡ ଭିତରେ କେସର, ଗୁଜୁରାତି, ସିନ୍ଦୂର, ହଳଦି ପାଉଡର ଓ ଅକ୍ଷତ ରଖାଯାଇଛି।

ଶ୍ରୀରାମୁଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପାର୍ଟିର ଅନ୍ୟ ବରିଷ୍ଠ ନେତା ଓ କର୍ଣ୍ଣାଟକର ବିଭିନ୍ନ ଦଳର ନେତାଙ୍କୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରିତ କରିଛନ୍ତି। ଏହାପୂର୍ବରୁ କର୍ଣ୍ଣାଟକର ବିଜେପି ନେତା ଜନାର୍ଦ୍ଦନ ରେଡ୍ଡିଙ୍କ ଝିଅ ବାହାଘରକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ସେତେବେଳେ ଜନାର୍ଦ୍ଦନ ଏଭଳି ଆଡମ୍ବରପୂର୍ଣ୍ଣ ଭାବେ ଝିଅର ବାହାଘର କରିଥିଲେ ଯେ ପୂରା କର୍ଣ୍ଣାଟକ ସହରରେ ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧିତ ଖବର